ଭବାନୀପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହୋଇଉଠିଛି ରାଜନୀତି । ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତାକାଲି ଦିନିକିଆ କଳାହାଣ୍ଡି ଓ ନୂଆପଡା ଜିଲ୍ଳା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ବିକାଶ କାର୍ଯ୍ୟର

ହିସାବ ଦେବେ ନବୀନ । ଏଥିପାଇଁ ଉତ୍ସାହିତ ହୋଇଛନ୍ତି ବିଜେଡି କର୍ମୀ ଓ ନେତା । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ' ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ନେଇ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଖୁସିର ମାହୋଲ । ମୁଖ୍ୟମନ୍ତ୍ରୀ ଗତ ୫ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲା ପାଇଁ କଣ କଣ ବିକାଶମୂଳକ କାର୍ଯ୍ୟ ହୋଇଛି ତାର ହିସାବ ଦେବେ ।'

ଆସନ୍ତାକାଲି ସକାଳ ୧୧.୦୫ ମିନିଟରେ ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରୁ ଦିନ ୧୧.୫୦ ସମୟରେ ଖଡିଆଳ ଯାଇ ନିର୍ବାଚନୀ ସଭାରେ ଯୋଗ ଦେବେ । ଆସନ୍ତାକାଲି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀ ଯଥା ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଓ ନର୍ଲାର ବିଧାୟକ ପ୍ରାର୍ଥୀଙ୍କ ସହିତ କଳାହାଣ୍ଡି ଲୋକସଭା ଆସନ ପ୍ରାର୍ଥୀ ଲମ୍ବୋଦର ନିଆଲ ମଧ୍ୟ ଉପସ୍ଥିତ ରହିବେ । ବିକାଶ କାର୍ଯ୍ୟର ହିସାବ ଦେବା ସହ ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁଜିତ କହିଛନ୍ତି ଯେ, 'ଆମର କେବଳ ଗୋଟିଏ ମୁଦ୍ଦା ଲୋକଙ୍କ ପାଖରେ ବିକାଶର କଥା କହି ଭୋଟ ଭିକ୍ଷା କରିବୁ । ପ୍ରତିଟି ଗାଁ ହେଉ କି ପରିବାର ସବୁଠି ବିକାଶ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆଗାମୀ ୫ ବର୍ଷର ବିକାଶର ରୋଡମ୍ୟାପ ସମ୍ପର୍କରେ ଜଣାଇବେ । ଆମେ ୭ ବିଧାନସଭା ଓ କଳାହାଣ୍ଡି ଲୋକସଭା ଆସନରେ ଭଲ ବ୍ୟବଧାନରେ ବିଜୟୀ ହେବୁ ।' ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦଙ୍କ ସମେତ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର ଉପସ୍ଥିତ ରହିଥିଲେ । ଆସନ୍ତା ମେ ୧୩ ତାରିଖରେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ଭୋଟଦାନ ହେବ ।

0 Comments