ପୁରୀ: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ଲୋକାରଣ୍ୟ ବଡଦାଣ୍ଡ । ଦିବ୍ୟ ସ୍ନାନର ମୂକସାକ୍ଷୀ ହୋଇଛି ବିଶ୍ବ ବ୍ରହ୍ମାଣ୍ଡ । ବଡ ଠାକୁରଙ୍କୁ ଅତି ପାଖରୁ ଦେଖି ଭାବବିହ୍ବଳ ଭକ୍ତ । ଭକ୍ତଙ୍କ ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ମହାପ୍ରଭୁ । ପ୍ରଭୁଙ୍କ ଦିବ୍ୟଭବ୍ୟ ରୂପ ଦର୍ଶନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।
108 ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଦାରୁଦିଅଁ । ଅଭିମନ୍ତ୍ରିତ ଜଳରୁ 35 କଳସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ, 33 ଗରା ବଳଭଦ୍ରଙ୍କୁ , 22 ଗରା ଦେବୀ ସୁଭଦ୍ରାଙ୍କୁ ଓ 18 ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଇଛି । ଉତ୍ତର ଦ୍ବାର ନିକଟରେ ଥିବା ସୂବର୍ଣ୍ଣ କୂଅରୁ 108 କଳସ ଜଳ ଅଣାଯାଇ ଏହାକୁ ମନ୍ତ୍ର ଦ୍ବାରା ଅଭିମନ୍ତ୍ରିତ କରାଯାଏ । ବର୍ଷ ତମାମ ଏହି କୂଅର ଜଳ ବ୍ୟବହାର ହୋଇ ନ ଥାଏ । କେଵଳ ସ୍ନାନ ପୂର୍ଣ୍ଣିମାରେ ଜଳ ଆସି ମହାପ୍ରଭୁଙ୍କୁ ଆଜି ସ୍ନାନ କରାଯାଇଛି ।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ବିଜେ କରିଛନ୍ତି ବଡଠାକୁର ବଳଭଦ୍ର, ମାଆ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ । କୁହାଯାଏ ସ୍ନ
ାନଯାତ୍ରା ଦେଖିଲେ ଗୋଟିଏ ତୀର୍ଥର ଫଳ ମିଳିଥାଏ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା । ରତ୍ନସିଂହାସନରେ ମହାପ୍ରଭୁଙ୍କୁ ମନ୍ତ୍ରସ୍ନାନ କରାଯାଏ କିନ୍ତୁ ବର୍ଷରେ ଥରେ ତିନି ଠାକୁର ପ୍ରତ୍ୟକ୍ଷ ଜଳସ୍ନାନ କରନ୍ତି । ଏହି ଦିନକୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ରତ୍ନ ସିଂହାସନରୁ ଦଇତାପତି ସେବକମାନେ ପହଣ୍ଡି କରି ଶ୍ରୀଜିଉଙ୍କୁ ସ୍ନାନ ମଣ୍ଡପରେ ଅବସ୍ଥାନ କରାଇଥାନ୍ତି । ପରେ ସ୍ନାନଯାତ୍ରା ନୀତି ଆରମ୍ଭ ହୋଇଥାଏ ।
ଦିବ୍ୟସ୍ନାନ ପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିଛନ୍ତି ଭକ୍ତ । ଦୁର୍ଲଭ ଗଜାନନ ବେଶ ଦେଖିଛନ୍ତି ଲକ୍ଷାଧିକ ଭକ୍ତ । ଗଜାନନ ବେଶ ପରେ ଶ୍ରୀମନ୍ଦିରକୁ ଠାକୁରମାନେ ଗୋଟି ପହଣ୍ଡିରେ ବିଜେ କରନ୍ତି । ଭିତର କାଠ ପାଖ ଅଣସର ପିଣ୍ଡିରେ ଠାକୁର ମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟି ଦିଅଁ ପୂଜା ପାଆନ୍ତି । ସ୍ନାନ ପୂର୍ଣ୍ଣିମାରୁ ନେତ୍ରୋତ୍ସବ ଯାଏଁ 15 ଦିନ ଧରି ଜ୍ବରରେ ଆକ୍ରାନ୍ତ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାକୁ ଅଣସର କୁହାଯାଏ । ଏହି 15 ଦିନ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ବ୍ରହ୍ମଗିରିରେ ପୂଜିତ ହେଉଥିବା ପ୍ରଭୁ ଅଲାର ନାଥଙ୍କୁ ଦର୍ଶନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଅଣସରରୁ ମହାପ୍ରଭୁ ସୁସ୍ଥ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା କରନ୍ତି ।