ଭୁବନେଶ୍ବର: ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡ ରଙ୍ଗ ବଦଳିଛି । ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପିନ୍ଧିବେ ଛାତ୍ରଛାତ୍ରୀ । ଏହି ଆଇଡି କାର୍ଡ ଗୁଡିକ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଛି । ହାଉସ ୟୁନିଫର୍ମ ଓ ଟୋପିର ଲୋଗୋକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଟୋପିର ରଙ୍ଗ ଧଳା ରହିଥିବା ବେଳେ ସେଥିରେ ସ୍ଲୋଗାନ ସହ ଲୋଗୋ ରହିଛି ।

ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬)ରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ) ମାଗଣା ଜୋ

ତା ଓ ମୋଜା ମିଳିବ । ୧ ହଳ ଜୋତା ଓ ୨ ହଳ ମୋଜା, ଗୋଟିଏ ଟି-ସାର୍ଟ, ଗୋଟିଏ ଟ୍ରାକ୍ ପ୍ୟାଣ୍ଟ, ଗୋଟିଏ ଟୋପି (ବ୍ରାଣ୍ଡିଂ ସହିତ) ଓ ଗୋଟିଏ ପରିଚୟପତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାର୍ଗଦର୍ଶିକା ଜାରି ହୋଇଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଜଣକ ପିଛା ୨୦୦ ଟଙ୍କା ମୂଲ୍ୟରେ ୧ ହଳ ଜୋତା ଓ ୨ ହଳ ମୋଜା, ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟ୍ରାକ୍ ପ୍ୟାଣ୍ଟ, ୩୦ ଟଙ୍କା ମୂଲ୍ୟରେ ଗୋଟିଏ ଟୋପି (ବ୍ରାଣ୍ଡିଂ ସହିତ) ଓ ୨୦ ଟଙ୍କା ମୂଲ୍ୟରେ ଗୋଟିଏ ପରିଚୟ ପତ୍ର (ସମୁଦାୟ ୫୦୦ ଟଙ୍କାରେ) ବଣ୍ଟନ କରାଯିବ । ଛାତ୍ରଛାତ୍ରୀଙ୍କୁ ଏକ ହଳ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ରଙ୍ଗର ମୋଜା ବଣ୍ଟନ କରାଯିବ । ହାଉସ ସିଷ୍ଟମ ପରିପାଟୀରେ ୧୦୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଦୁଇଟି ହାଉସ ଗଠନ କରାଯିବ । ଚାରୋଟି ରଙ୍ଗର ଟି-ସାର୍ଟ ମଧ୍ୟରୁ ଯେକୌଣସି ଦୁଇଟି ରଙ୍ଗର ଟି-ସାର୍ଟ ମନୋନୟନ କରାଯାଇ ବଣ୍ଟନ କରାଯିବ ।

୧୦୦ ଜଣରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ୪ଟି ହାଉସ ଗଠନ କରାଯିବ । ଏହା ସହିତ ୪ଟି ରଙ୍ଗର ଟି-ସାର୍ଟ ମନୋନୟନ କରାଯାଇ ବଣ୍ଟନ ହେବ । ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଟି-ସାର୍ଟ ବ୍ରାଣ୍ଡିଂ ସହିତ ଏବଂ ଗୋଟିଏ ଲେଖାଏଁ ଟ୍ରାକ୍‌ ପ୍ୟାଣ୍ଟ ବଣ୍ଟନ କରାଯିବ । ଟୋପି ଓ ଟି-ସାର୍ଟରେ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ବ୍ରାଣ୍ଡିଂ ଥିବା ଲୋଗୋ ରହିବ । ବିଦ୍ୟାଳୟ ପରିଚାଳନା କମିଟିର ଆକାଉଣ୍ଟକୁ ଏ ସମସ୍ତ ଜିନିଷ ବାବଦକୁ ଅର୍ଥ ଯୋଗାଇ ଦିଆଯିବ । ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ବଣ୍ଟନ କରାଯିବ ।

୨୦୨୪ ମସିହା ଅକ୍ଟୋବର ମାସ ୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଚିଠି ହୋଇଥିଲା । ଚିଠିରେ ଲେଖାଥିଲା ଯେ, ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସଗୁଡିକ ସବୁଜ ବଦଳରେ ଖଇରିଆ- ବାଦାମୀ ରଙ୍ଗ ହେବ । ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ବିଜେପି ସରକାର ଆସିବା ପରେ ଏକାଧିକ ଯୋଜନା ଓ କାର୍ଯ୍ୟକ୍ରମର ରଙ୍ଗ ମଧ୍ୟ ପରିବର୍ତ୍ତନ କରିଛି । ଏବେ ସ୍କୁଲ ପିଲାଙ୍କ ଡ୍ରେସକୋଡର ରଙ୍ଗ ପରିବର୍ତ୍ତନ ଓ ପିଲାଙ୍କର ସବୁଜ ଆଇଡି କାର୍ଡର ରଙ୍ଗ ମଧ୍ୟ ପରିବର୍ତ୍ତନ କରିଛନ୍ତି ମୋହନ ସରକାର ।

0 Comments