ବାରିପଦା: ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି । ଏନେଇ ତିନି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ମାନେ ଘନ ଘନ ମୟୂରଭଞ୍ଜ ଗସ୍ତ କରି ହାଇଭୋଲ୍ଟେଜ ପ୍ରଚାର ଜାରି ରଖିଛନ୍ତି । ଆଜି ବାରିପଦା ସହର ସ୍ଥିତ ଛଉ ପଡିଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ସଭାରେ ବିଜେଡିକୁ ଭିନ୍ନ ଢଙ୍ଗରେ ଶାଣିତ ସମାଲୋଚନା କରିଛନ୍ତି । ସିଧା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପ୍ରସଙ୍ଗ ଉଠାଇ ଏହା ପଛରେ ଏକ ବଡ ଷଡଯନ୍ତ୍ର ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ନବୀନ ନିଜେ କିଛି ଜାଣିପାରୁନାହାନ୍ତି

। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିରେ ନିିର୍ଦ୍ଦିଷ୍ଟ କ୍ଷମତା ଭୋଗକାରୀ ଗୋଷ୍ଠୀର ଭୂମିକା ରହିଛି । ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଏହାର ତଦନ୍ତ ପାଇଁ ଏକ କମିଟି ଗଠନ inକରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବିଜେପି ଶାସନରେ ପୃଥକ ଆଦିବାସୀ ମନ୍ତ୍ରଣାଳୟ ହୋଇଥିଲା । ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିଛି ବିଜେପି ସରକାର । ବିର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ‘ଜନଜାତୀୟ ଗୌରବ ଦିବସ’ ଘୋଷଣା ହୋଇଛି । ଏକାଧିକ ଏକଲବ୍ୟ ବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲାରେ ଖୋଲିଛି । ରଜ୍ୟରେ ବିଜେପି ସରକାର ହେବା ପରେ ଶୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । 3 କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ଧାନ କ୍ବିଣ୍ଟାଲ 3ହଜାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡିଶାରେ ବିଜେପି ସରକାର ଆସିଲେ ଧାନର ଏମଏସପି ମୂଲ୍ୟ 3100, ବାର୍ଦ୍ଧକ୍ୟ ଭତ୍ତା ତିନି ହଜାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ ।

ମୋଦି କହିଛନ୍ତି, ନବୀନବାବୁ ନିଜେ କିଛି କରିପାରୁନାହାନ୍ତି । ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପଛରେ ଷଡଯନ୍ତ୍ର ଅଛି । ନବୀନଙ୍କ ନାମରେ କ୍ଷମତା ଭୋଗ କରୁଥିବା ଗୋଷ୍ଠୀର ଭୂମିକା ରହିଛି । ବିଜେପି ସରକାର ଏଥିପାଇଁ ଯାଞ୍ଚ କମିଟି ଗଠନ କରିବ । ରତ୍ନଭଣ୍ଡାରକୁ ନେଇ ବିଜେଡି ସରକାର ଧୋକା ଦେଇଛି । ରତ୍ନଭଣ୍ଡାର ଚାବି ବିଷୟରେ ପୁରା ଦେଶ ଉତ୍ତର ଚାହୁଁଛି । ବିଜେପି ସରକାର ଏହି ରିପୋର୍ଟ ଖୁଲାସା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦି ସର୍ବ ପ୍ରଥମେ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ରଖିଥିଲେ । ପରେ ସାନ୍ତାଳୀ ଭାଷାରେ ସମସ୍ତଙ୍କୁ ଜୁହାର କହିଥିଲେ । ଏଥି ପରେ ସେ ଭଞ୍ଜଭୂମି ମୟୂରଭଞ୍ଜରେ ଉପସ୍ଥିତ ଥାଇ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି । ମାଆ କୀଚକେଶ୍ବରୀଙ୍କୁ ମଧ୍ୟ କୋଟି କୋଟି ପ୍ରଣାମ ଜଣାଇବା ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଆଦରର ସହିତ ନମସ୍କାର ଜଣାଇଥିଲେ । ଆଜିର ସମାବେଶରେ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଏବଂ ରାଇରଙ୍ଗପୁର, ଯଶିପୁର , ମୋରୋଡା, ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ସାରସକଣା ଓ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।

0 Comments