ପୁରୀ: ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍ ନେଇ ପୁରୀ ପୋଲିସ୍ ପକ୍ଷରୁ ଚାଲିଛି ତଦନ୍ତ । ଜ୍ୟୋତିଙ୍କ ସାଙ୍ଗ ତଥା ପୁରୀ ବାସିନ୍ଦା ପ୍ରିୟଙ୍କା ସେନାପତିଙ୍କୁ ଜେରା କରୁଛି ପୋଲିସ୍ । ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ତାଙ୍କର ପୁରୀ ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ୨୦୨୪ ସେପ୍ଟେମ୍ୱରରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପୁରୀ ଆସି ଶ୍ରୀମନ୍ଦିର, ବେଳାଭୂମି, ପୁରୀ ସହରର ବିଭିନ୍ନ ବଜାର ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିଥିଲେ ।
ତାଙ୍କ ସହିତ ପୁରୀ କାଳିକା ଦେବୀ ସାହିର ବାସିନ୍ଦା ତଥା ୟୁଟ୍ୟୁବର ପ୍ରିୟ
ଙ୍କା ସେନାପତି ଜ୍ୟୋତିଙ୍କ ସହ ବୁଲାବୁଲି କରିଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି । ତେବେ ପାକିସ୍ତାନୀ ଗୁପ୍ତଚର ଭାବେ ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ଜ୍ୟୋତି କାହିଁକି ପୁରୀ ଆସିଥିଲେ ଏବଂ କେଉଁ କେଉଁ ସ୍ଥାନକୁ ଯାଇଥିଲେ ତାହାର ତଦନ୍ତ କରୁଛି ପୁରୀ ପୋଲିସ । ରାଜ୍ୟ ଏବଂ କେନ୍ଦ୍ର ଗୁଇନ୍ଦା ବିଭାଗ ସହିତ ହରିୟାଣା ପୋଲିସ ସହାୟତାରେ ସମସ୍ତ ଘଟଣାର ତଦନ୍ତ ଚାଲିଛି ।
ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିବା ବେଳେ ତାଙ୍କ ସହ ଥିବା ପୁରୀ ବାସିନ୍ଦା ତଥା ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ପୁରୀ ପୋଲିସ ପକ୍ଷରୁ ଜେରା କରାଯାଉଛି । ସେପଟେ ପ୍ରିୟଙ୍କାଙ୍କ ବାପା ରାଜକିଶୋର ସେନାପତି କହିଛନ୍ତି, ତାଙ୍କ ଝିଅ ସହିତ ଜ୍ୟୋତି ମାଲହୋତ୍ରାର କୌଣସି ସମ୍ପର୍କ ନାହିଁ। ଦୁଇଜଣ ୟୁଟ୍ୟୁବର ହୋଇଥିବାରୁ ଅନଲାଇନରେ ସେମାନଙ୍କର ବନ୍ଧୁତା ରହିଥିଲା । ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିବା ବେଳେ ତାଙ୍କ ଝିଅ ପ୍ରିୟଙ୍କା ତାଙ୍କ ସାଙ୍ଗ ହିସାବରେ କେବଳ ଦେଖା କରି କିଛି ସମୟ କାଟିଥିଲେ । ହେଲେ ଜ୍ୟୋତି ମାଲହୋତ୍ରା ପାକିସ୍ତାନି ଏଜେଣ୍ଟ ବୋଲି ତାଙ୍କ ଝିଅ ପାଖରେ କୌଣସି ସୂଚନା ନଥିବା ପ୍ରିୟଙ୍କାଙ୍କ ବାପା କହିଛନ୍ତି ।
ଗତ ଚାରିମାସ ତଳେ ତାଙ୍କ ଝିଅ ପାକିସ୍ତାନରେ ଥିବା କରତାରପୁର ଏକ ବ୍ଲଗ ଭିଡିଓ ବନାଇବା ପାଇଁ ଯାଇଥିଲେ। ପ୍ରିୟଙ୍କା ପାକିସ୍ତାନ ଯିବା ଘଟଣାରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର କୌଣସି ହାତ ନାହିଁ। ତେବେ ଦେଶର ସୁରକ୍ଷା ଦୃଷ୍ଟିରୁ ପୋଲିସ ଯାହା ତଦନ୍ତ କରିବ ମୁଁ ଏବଂ ମୋ ଝିଅ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ପ୍ରିୟଙ୍କାଙ୍କ ବାପା କହିଛନ୍ତି।
ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିବା ଖବର ଜଣାପଡ଼ିବା ପରେ ପୁରୀ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛି। ସମଗ୍ର ଘଟଣାକୁ ନେଇ ପୋଲିସ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି । ରାଜ୍ୟ ଏବଂ କେନ୍ଦ୍ର ଗୁଇନ୍ଦା ବିଭାଗ ସହିତ ହରିୟାଣା ପୋଲିସ ସହାୟତାରେ ପୁରୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଘଟଣାର ଅନୁସନ୍ଧାନ କରୁଛି । ତେବେ ଜ୍ୟୋତି ମାଲହୋତ୍ରାଙ୍କ ସହିତ ପୁରୀରେ ସାଙ୍ଗ ହୋଇ ସମୟ କାଟିଥିବା ୟୁଟ୍ୟୁବର ତଥା ପୁରୀ କାଳିକା ଦେବୀ ସାହିର ବାସିନ୍ଦା ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ପୋଲିସ ଜେରା କରୁଛି । ତଦନ୍ତ ସରିବା ପରେ ହିଁ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ପୁରୀ ଏସପି କହିଛନ୍ତି ।