ପୁରୀ/ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା, ରକ୍ଷଣାବେକ୍ଷଣରେ ASI (ଏଏସଆଇ) ଅବହେଳା ଅଭିଯୋଗ । ଦୀର୍ଘ ୧୦ ବର୍ଷ ହେବ ଶ୍ରୀମନ୍ଦିରର ହୋଇନି ରାସାୟନିକ ସଂରକ୍ଷଣ କାର୍ଯ୍ୟ । ଫଳରେ ଶ୍ରୀମନ୍ଦିର, ପାର୍ଶ୍ୱ ଦେବାଦେବୀ ମନ୍ଦିର, ମେଘନାଦ ପାଚେରୀରେ ଫାଟ ଦେଖାଦେଇଛି । ଶ୍ରୀମନ୍ଦିର ପ୍ରତି ଏଏସଆଇ ଅବହେଳା କରିଥିବା ନେଇ ଅଭିଯୋଗ ଆଣିବା ସହ କଡ଼ା ସମାଲୋଚନା କରିଛନ୍ତି ସେବାୟତ ।

୧୨ ଶହ ଶତାବ୍ଦୀର ମନ୍ଦିର ହେଉଛି ଶ୍ରୀମନ୍ଦିର । କେତେବେଳେ ସିମେଣ୍ଟ, ରଡ୍ କି ଆଧୁନିକ ଜ୍ଞାନ କୌଶଳ ନଥିଲା ସେତେବେଳେ ପଥରକୁ ପଥରରେ ଯୋଡେଇ କରାଯାଇ ବିଶାଳ ମନ୍ଦିର ନିର୍ମାଣ କରାଯାଇଥିଲା । ଶ୍ରୀମନ୍ଦିର ସମୁଦ୍ର କୂଳ ଅଞ୍ଚଳରେ ଥିବାରୁ ଏହାର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରସ୍ତର ଉପରେ ଚୂନ, ଗୁଡ ପ୍ରଲେପ ଦିଆଯାଇଥିଲା । ଏହାଦ୍ଵାରା ସମୁଦ୍ର ଲୁଣି ପବନ ଯୋଗୁଁ ପଥର ଅବକ୍ଷୟ ହେବନି ବୋଲି ତତ୍କାଳୀନ ରାଜାଙ୍କ ବିଶ୍ୱାସ ଥିଲା । ୧୯୭୫ ମସିହାରେ ଏଏସଆଇକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ଵ ମିଳିଥିଲା । ପରେ ୧୯୮୧ ମସିହାରୁ ଶ୍ରୀମନ୍ଦିର ଉପରେ ଲାଗିଥିବା ଚୂନ ପ୍ରଲେପକୁ ଛଡାଇବା କାର୍ଯ୍ୟ ଆରମ୍ଭ କରିଥିଲା ଏଏସଆଇ । ପରେ ମନ୍ଦିରର ସୁରକ୍ଷା ପାଇଁ ରାସାୟନିକ ପ୍ରଲେପ ଦିଆଯାଇଥିଲା । ଏସବୁ କାର୍ଯ୍ୟ ଗତ ୨୦୧୪-୧୫ ମସିହାରେ ଶେଷ ହୋଇ

ଥଲା । ଏହା ଭିତରେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଉ ରାସାୟନିକ ପ୍ରଲେପ ଦିଆଯାଇନାହିଁ । ଫଳରେ ଶ୍ରୀମନ୍ଦିରର ବହୁ ପୁରାତନ ପ୍ରସ୍ତର ଅବକ୍ଷୟ ହେବାରେ ଲାଗିଛି । ଏହି କାର୍ଯ୍ୟ କରିବା ପାଇଁ ପୁରୀରେ ଥିବା କାର୍ଯ୍ୟାଳୟକୁ ଭୁବନେଶ୍ଵର ଉଠାଇ ନିଆଯାଇଛି । ଯେହେତୁ ଶ୍ରୀମନ୍ଦିର ଲୁଣି ଅଞ୍ଚଳରେ ରହୁଛି, ଏଣୁ ପ୍ରତ୍ୟେକ ୩ରୁ ୫ ବର୍ଷକୁ ଥରେ ରାସାୟନିକ ପ୍ରଲେପ କାର୍ଯ୍ୟ ହେବା ଉଚିତ୍ । ଶ୍ରୀମନ୍ଦିରରେ ଦୀର୍ଘ ବର୍ଷ ହେବ ରାସାୟନିକ ପ୍ରଲେପ କାର୍ଯ୍ୟ ହୋଇ ନଥିବାରୁ ଏହାକୁ ସେବାୟତମାନେ ସମାଲୋଚନା କରିଛନ୍ତି ।

ଏଏସଆଇ ପୁରୀ କାର୍ଯ୍ୟାଳୟର ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି, "ସମୁଦ୍ରରୁ ଆସୁଥିବା ଲୁଣି ପବନରେ ଶ୍ରୀମନ୍ଦିରର ପଥର ଯେଭଳି କିଛି କ୍ଷତି ନ ହୁଏ ସେଥିପାଇଁ କେମିକାଲ ଟ୍ରିଟମେଣ୍ଟ କରାଯାଏ । ଏଏସଆଇର ଥିବା ସାଇନ୍ସ ବ୍ରାଞ୍ଚ ଏହି କାର୍ଯ୍ୟ କରନ୍ତି । ଶ୍ରୀମନ୍ଦିର ଭିତରେ ଥିବା ଛୋଟ ମନ୍ଦିର ଗୁଡିକର ନିୟମିତ ରାସାୟନିକ ପ୍ରଲେପ ଦିଆଯାଉଛି । ମେଘନାଦ ପାଚେରୀର ମଧ୍ୟ ରାସାୟନିକ ପ୍ରଲେପ କାର୍ଯ୍ୟ ଏବେ ଶେଷ ହୋଇଛି । ଶ୍ରୀମନ୍ଦିରର କେବେ ଏହି ରାସାୟନିକ ପ୍ରଲେପ କାର୍ଯ୍ୟ ହେବ ତାହା ଆମ ସାଇନ୍ସ ବିଭାଗ କହିପାରିବେ । ଶ୍ରୀମନ୍ଦିରକୁ ଏବେ କୌଣସି ବିପଦ ନାହିଁ।"

0 Comments