ଭୁବନେଶ୍ବର: ପନ୍ଦର ଦିନରୁ ମାସେ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ପ୍ରଥମେ ସଙ୍ଗଠନ, ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ରାଜ୍ଯରେ ବିଜେପି ସରକାରକୁ ତେର ମାସ ବିତିବାକୁ ବସିଲାଣି । ଏହାରି ଭିତରେ ରାଜ୍ୟ ବିଜେପି ନୂତନ ସଭାପତି ବି ପାଇସାରିଛି । ମନମୋହନ ସାମଲଙ୍କ ଉପରେ କେନ୍ଦ୍ର ବିଜେପି ପୁଣି ଆସ୍ଥା ପ୍ରକଟ କରିଛି । ମନମୋହନ ସାମଲ ନୂତନ ସଭାପତି ହେବା ପରେ ଦୁଇଥର ଦିଲ୍ଲୀ ଗସ୍ତ କରିସାରିଲେଣି । ସଙ୍ଗଠନକୁ ନେଇ କେନ୍ଦ୍ର ନେତୃତ୍ବଙ୍କ ସହିତ ବାରମ୍ବାର ଆଲୋଚନା ବି ହୋଇସାରିଛି । ଆଜି ଦିଲ୍ଲୀ ରୁ ଫେରିବା ପରେ ମନମୋହନ ସାମଲ କହିଛନ୍ତି ‘‘ପ୍ରଥମେ ସଂଗଠନକୁ ସଜାଡ଼ିବେ ତାପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ କାମ । ଯାହା ଦାୟିତ୍ୱ ରହିଛି ସେ ନିର୍ବାହ କରୁଛନ୍ତି । ଯଦି ଦଳକୁ ପରାମର୍ଶ ମାଗନ୍ତି ଆମେ ନିଶ୍ଚୟ ଦେବୁ । ମନ୍ତ୍ରୀମଣ୍ଡଳରେ କିଏ ରହିବେ, ଆଧାର କଣ କଣ ରହିବ ସେ ନେଇ ନିଷ୍ପତି ସଂସଦୀୟ ବୋର୍ଡ ନେବ’’ ।
ଦିନେ ଦୁଇ ଦିନ ମଧ୍ୟରେ ନୂଆ ଟିମ ଗଢିବାକୁ ଯାଉଛନ୍ତି ମନମୋହନ ଏବଂ ପରେ ବୋର
ଡ ନିଗମ ପଦବୀ ପୂରଣ ହେବ । ମନମୋହନ ସାମଲ ଆହୁରି ମଧ୍ୟ କହିଛନ୍ତି ‘‘ଓଡ଼ିଶାରେ ବିଜେପିର ନୂଆ କମିଟି ହେବ। କମିଟିରେ ପୁରୁଣା ନୂଆ ସମସ୍ତେ ରହିବେ। ପ୍ରଭାରୀ ଆସିଛନ୍ତି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଭିନ୍ନ ବିଷୟ ନେଇ ଆଜି ବୈଠକ ବସିଛି। ଆମ ଦଳରେ ଆମ କମିଟିରେ ସମ୍ପୂର୍ଣ ନୂଆ ଚେହେରା ରୁହନ୍ତିନି। ନୂଆ ପୁରୁଣା ମିଶି କରି ରହିବେ। ୨୫ ପ୍ରତିଶତ ନୂଆ ଚେହେରା ଆସିବେ। ନୂଆ କମିଟି ପରେ ନୂଆ ଭିଜନ ଆସିବ’’ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୋର୍ଡ ଏବଂ ନିଗମ ନେଇ 144 ଜଣ ଆଶାୟୀ ଅଛନ୍ତି । ଏମାନଙ୍କ ନାମ ରାଜ୍ୟ ସଭାପତି ଦିଲ୍ଲୀ ବୈଠକରେ ଆଲୋଚନା କରିଥିଲେ । ରାଜ୍ଯରେ ବୋର୍ଡ ଏବଂ ନିଗମ ନେଇ ପାଖାପାଖି 90 ଜଣଙ୍କୁ ଥଇଥାନ କରାଯିବ । ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲରେ ବି ନିଯୁକ୍ତି ଦିଆଯିବ । ସେନେଇ ଆଲୋଚନା ଚାଲିଛି ।
ରାଜ୍ୟ କମିଟି, ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ ଚର୍ଚ୍ଚା ହେଇଛି। ଯେତେବେଳେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ହୁଏ ସବୁ ବିଷୟ ସବୁ ଦିଗ ନେଇ ଆଲୋଚନା ହୁଏ। ଠିକ୍ ସମୟରେ ସବୁ ନିଷ୍ପତ୍ତି ନିଆଯିବ। ମନ୍ତ୍ରୀ ମଣ୍ଡଳ 6 ପଦବୀ ପୂରଣ, ବୋର୍ଡ ଓ ନିଗମ ଖୁବ୍ ଶୀଘ୍ର ହେବ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।