ଶ୍ରୀନଗର: କୁଲଗାମରେ ୫ ଆତଙ୍କୀ ସଫା । ଗୁଳି ବିନିମୟରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ରହିଛି । ସିଆରପିଏଫ, ଭାରତୀୟ ସେନା ଓ ପୋଲିସର ମିଳିତ ଉଦ୍ୟମରେ କରାଯାଇଥିଲା ଅପରେସନ । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ସନ୍ଦେହ କରି ଅପରେସନ ଆରମ୍ଭ କରିଥିଲେ ମିଳିତ ଟିମ୍ ।
ଅନେକ ସମୟରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ମାନେ ଆକ୍ରମଣ କରି ଭୟ ସୃଷ୍ଟି କରିଆସୁଛନ୍ତି । ଏହାରି ଭିତରେ ପୋଲିସ ଓ ଯବାନଙ୍କୁ ବଡ଼ ସଫଳତା ମିଳିଛି । ଗୁଳି ବିନିମୟରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସିଆରପିଏଫ, ଭାରତୀୟ ସେନା ଓ ପୋଲିସର ମିଳିତ ଉଦ୍ୟମରେ କୁଲଗାମରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ୫ ଆତଙ୍କୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଆହୁରି ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେହି ସ୍ଥାନମାନଙ୍କରେ ସର୍ଚ୍ଚ ଅପରେସନ କରାଯିବ ବୋଲି ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ୩ ଜଣ ଆତଙ୍କୀ ଲୁଚି ରହିଥିବା ପ୍ରାଥମିକ ସୂଚନା ପାଇଥିଲା ପୋଲିସ । ସିଆରପିଏଫ ଓ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିବାବେଳେ ଜୋରଦାର ଗୁଳି ବିନିମୟ ହୋଇଥିଲା ।
କାଶ୍ମୀର ଜୋନ ପୋଲିସ ସୋସିଆଲ ମିଡିଆ ହ୍ୟାଣ୍ଡେଲ (X)ରେ ଉଲ୍ଲେଖ କରିଛନ୍ତି, "କୁଲଗାମ ଜିଲ୍ଲାର କଦେର ଅଞ୍ଚଳରେ ପ୍ରଥମେ ଗୁଳି ବିନିମୟ ହୋଇଥିଲା । ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ । ଏହାପରେ ଆତଙ୍କୀମାନେ ପାଲଟା ଆକ୍ରମଣ କରିଥିଲେ । ଗତ ଡିସେମ୍ବର ୩ରେ ଜୁନେଦ ଅହମ୍ମଦ ଭଟ୍ଟ ନାମକ ଜଣେ ଆତଙ୍କୀ ଠାବ ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ବାରା ଶ୍ରୀନଗରରେ କରାଯାଇଥିବା ଅପରେସନବେଳେ ସେ ଧରାପଡିଥିଲା। ପୋଲିସର କହିବା ଅନୁସାରେ, ଗଗନଗିର ଓ ଗଣ୍ଡେରବାଲରେ ଆତଙ୍କୀ ହମଲାରେ ଅନେକଙ୍କ ଜୀବନ ଯାଇଥିଲା । ଆଉ ଏହି ଆକ୍ରମଣ ପଛରେ ଜୁନେଦ ଅହମ୍ମଦ ଭଟ୍ଟର ହାତ ଥିଲା ।" ତେବେ ଆତଙ୍କୀ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାବେଳେ ଲଗାତାର ନଜର ରଖିଛି ଜମ୍ମୁକାଶ୍ମୀର ପୋଲିସ ।