ଭୁବନେଶ୍ବର: ଆଜିଠୁ ନୂଆଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 5 ଦିନିଆ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରାକ୍ ବଜେଟ ପରାମର୍ଶ ବୈଠକ ଓ 55 ତମ ଜିଏସଟି ପରିଷଦ ବୈଠକରେ ସାମିଲ ହେବେ । ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପିକେ ଷଡ଼ଙ୍ଗୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କେନ୍ଦ

ୁଝର ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ ନୂଆଦିଲ୍ଲୀ ଓ ରାଜସ୍ଥାନ ଗସ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ମୋହନ 5 ଦିନିଆ ଗସ୍ତରେ ଯାଇଛନ୍ତି । ଆଜି ରାତିରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀର ଚାଣକ୍ୟପୁରୀରେ ହୋଟେଲରେ ରାତ୍ରିଯାପନ କରିବେ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳୁ ରାଜସ୍ଥାନର ଜୟପୁର ଆଭିମୁଖ୍ୟ ବାହାରିବେ ମୁଖ୍ୟମନ୍ତ୍ରୀ । ସକାଳ ପ୍ରାୟ ସାଢେ 7ରେ ଜୟପୁରରେ ପହଞ୍ଚିବେ । ସେଠାରୁ ଓହ୍ଲାଇ ସାଢ଼େ ୯ଟାରେ ଜୈସାଲମେର ଅଭିମୁଖେ ବାହାରିବେ । ପ୍ରାୟ 11ଟାରେ ଜୈସାଲମେର ବିମାନବନ୍ଦରରେ ଓହ୍ଲାଇ ଆଇଟିସି ହୋଟେଲରେ ଅବସ୍ଥାପନ କରିବେ । ଅପରାହ୍ନ 4ଟାରେ ପ୍ରାକ୍ ବଜେଟ ପରାମର୍ଶ ବୈଠକରେ ସାମିଲ ହେବାକୁ ଥିବା କାର୍ଯ୍ୟକ୍ରମସ୍ଥଳକୁ ମୁଖ୍ୟମନ୍ତ୍ରୀ ଯିବେ । ପ୍ରାୟ 3 ଘଣ୍ଟା ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଏହାପରେ ହୋଟେଲ ଫେରି ଆସି ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ ।

ଶନିବାର ପୂର୍ବାହ୍ନ 11ଟା ରେ ଆୟୋଜିତ ଜିଏସଟି ପରିଷଦ ବୈଠକରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଯିବେ । ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାୟ 3 ଘଣ୍ଟା ରହିବେ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଫେରି ଆସିବେ । ରବିବାର ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସିକ କମିଶନଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସୋମବାର ଦିନ ତମାମ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ କାର୍ଯ୍ୟକ୍ରମ ରହିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଗସ୍ତ ଶେଷ କରି ଫେରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ବହୁ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ପ୍ରଥମ ଥର ଲାଗି ପ୍ରାକ ବଜେଟ ପରାମର୍ଶ ବୈଠକ ଓ ଜିଏସଟି ପରିଷଦ ବୈଠକରେ ସାମିଲ ହେବେ । ଉଭୟ ବୈଠକରୁ ଅନେକ ଅଭିଜ୍ଞତା ଲାଭ କରିବେ । ଏହା ସହିତ ରାଜ୍ୟର ଆଭିମୁଖ୍ୟ ଓ ଦାବି ମଧ୍ୟ ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବେ । ଗତ କେନ୍ଦ୍ରୀୟ ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ ଛାଡି ଦେଲେ ଓଡିଶା ଲାଗି ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ନଥିଲା। ତେଣୁ ଆସନ୍ତା ବଜେଟରେ ସ୍ୱତନ୍ତ୍ର ଅନୁଦାନ ଲାଗି ମୁଖ୍ୟମନ୍ତ୍ରୀ ଦାବି କରିପାରନ୍ତି ।

0 Comments