( ବ୍ୟୁରୋ)ଗୋଟିଏ ଦିନ ବିଳମ୍ବ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO), PSLV-C59 ଲଞ୍ଚ୍ ଭେହିକଲରୁ ଐତିହାସିକ ଲଞ୍ଚ କରିଛି । ୟୁରୋପୀୟ ସ୍ପେଶ୍ ଏଜେନ୍ସି (ESA)ର ପ୍ରୋବା-3 ମିଶନକୁ ଅପରାହ୍ନ 4:04ଟାରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ ସେଣ୍ଟରରୁ ଏହାକୁ ଲଞ୍ଚ୍ କରାଯାଇଛି । ସୂର୍ଯ୍ୟଙ୍କ କରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବା ଏହି ମିଶନର ଲକ୍ଷ୍ୟ ।
ଗତକାଲି ଡିସେମ୍ବର 4 ତାରିଖ ସମାନ ସମୟରେ ଏହି ମିଶନକୁ ଲଞ୍ଚ କରିବାକୁ ଯୋଜନା କରାଯାଇଥିଲା । କିନ୍ତୁ ଲଞ୍ଚର କିଛି ମିନିଟ୍ ପୂର୍ବରୁ ଏହାକୁ ଆଜି (ଡିସେମ୍ବର 5) ତାରିଖକୁ ଘୁଞ୍ଚାଯାଇଥିବା ନେଇ ISRO ସୂଚନା ଦେଇଥିଲା । ତେବେ ପ୍ରୋବା-3 ସାଟେଲାଇଟ୍ରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ମିଶନକୁ ସ୍ଥଗିତ ରଖିବା ଲାଗି ୟୁରୋପୀୟ ସ୍ପେଶ ଏଜେନ୍ସି ESA ଇସ୍ରୋକୁ ଅନୁରୋଧ କରିଥିଲା ।
ISRO କହିଛି ଯେ ଏହି PSLV ଲଞ୍ଚ ଭେହିକଲ୍ ପ୍ରୋବା-3 ମହାକାଶ ଯାନକୁ ISROର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ସହାୟତାରେ ଉଚ୍ଚ ଆଲେପଟିକାଲ୍ କକ୍ଷପଥରେ ସଫଳତାର ସହିତ ରଖାଯାଇଛି । ଏ ନେଇ ISRO X ସାଇଟ୍ରେ ପୋଷ୍ଟ କରି କହିଛି, "PSLV-C59 / PROBA-3 ମିଶନ ଏହାର ଉତକ୍ଷେପଣ ଉଦ୍ଦେଶ୍ୟକୁ ସଫଳତାର ସହିତ ହାସଲ କରିଛି । ESAର ସାଟେଲାଇଟଗୁଡ଼ିକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସଠିକ୍ ଭାବରେ ନିୟୋଜିତ କରିଛି ।"
ୟୁରୋପର ପ୍ରୋବା-3 ମିଶନର ଲକ୍ଷ୍ୟ ହେଉଛି ଦୁଇଟି ମହାକାଶ ଯାନ କରୋନାଗ୍ରାଫ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହ
କାଶରେ ରଖିବା । ଅର୍ଥାତ ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା କଷ୍ଟକର, ଏଥିଲାଗି ଗୋଟିଏ ସ୍ପେଶକ୍ରାଫ୍ଟ ସୂର୍ଯ୍ୟଙ୍କ କରୋନା ବା ବାହ୍ୟବଳୟରୁ ବାହାରୁଥିବା ରଶ୍ମିକୁ ବ୍ଲକ୍ କରି ଅନ୍ଧକାର ସୃଷ୍ଟି କରିବ । ଏହାକୁ କୃତ୍ରିମ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଉଛି । ଅନ୍ୟ ମହାକାଶୟାନଟି କରୋନାକୁ ଅଧ୍ୟୟନ କରିବ । ପ୍ରାୟ 6 ଘଣ୍ଟା ଧରି ବୈଜ୍ଞାନିକମାନେ ଗବେଷଣା କରିବେ । ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (NSIL) ସହିତ ଏହା ପ୍ରଥମ ମିଶନ ଯାହାକି ESAର ଏହି PROBA-3 ସାଟେଲାଇଟକୁ ଏକ ଉଚ୍ଚ ଅଲିପ୍ଟିକାଲ୍ କକ୍ଷପଥରେ ସ୍ଥାନିତ କରିବ । ପ୍ରୋବା-3 ମିଶନକୁ ଲଞ୍ଚ ଭେହିକଲ PSLV-C59ରେ ଉତକ୍ଷେପଣ କରାଯିବ ଯାହାକି ଇସ୍ରୋର PSLVର 61ତମ ଉଡ଼ାଣ ହେବ ଏବଂ PSLV-XL ସଂରଚନା ବ୍ୟବହାର କରିଥିବା 26ତମ ଉଡ଼ାଣ ହେବ ।
ଇସ୍ରୋର PSLV-XL ଲଞ୍ଚ୍ ଭେହିକଲ ପୂର୍ବରୁ ଭାରି ପେଲୋଡ୍ ଥିବା ଚନ୍ଦ୍ରଯାନ ଓ ମଙ୍ଗଳ ମିଶନକୁ ମଧ୍ୟ ସଫଳତାର ସହିତ ଲଞ୍ଚ କରିଛି । ପୂର୍ବରୁ ଇସ୍ରୋ ପ୍ରୋବା-1 ମିଶନକୁ 2001ରେ ପ୍ରୋବା-2 ମିଶନକୁ 2009ରେ ଲଞ୍ଚ କରିଥିଲା । ପୂର୍ବ ମିଶନଗୁଡ଼ିକ ସଫଳ ହୋଇଥିବା ବେଳେ ଇସ୍ରୋର ଏହି ଲଞ୍ଚ୍ ଭେହିକଲ ଉପରେ ବିଶ୍ବାସ ବଢିଛି । ISRO ୟୁରୋପୀୟ ସାଟେଲାଇଟକୁ ଲଞ୍ଚ କରି ଭାରତର ନିର୍ଭରଯୋଗ୍ୟ ଏବଂ ବଢୁଥିବା ମହାକାଶ କ୍ଷମତା ପ୍ରଦର୍ଶନ କରିଛି ।
ଇସ୍ରୋ ପ୍ରୋବା-3 ମିଶନର ଲଞ୍ଚ ଦାୟିତ୍ବ ସମ୍ଭାଳିଥିବା ବେଳେ ୟୁରୋପୀୟ ମହାକାଶ ଏଜେନ୍ସି ESAର ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ କରୋନା ଉପରେ ଗବେଷଣା କରିବେ । ଏହି ଲଞ୍ଚ୍ ଇସ୍ରୋକୁ ମଧ୍ୟ ଏକ ମୂଲ୍ୟବାନ ଅଭିଜ୍ଞତା ପ୍ରଦାନ କରିବ । ସୌର ଝଡ଼ ଏବଂ ଏଥିରୁ ବାହାରୁଥିବା ପବନ ପୃଥିବୀରେ ସାଟେଲାଇଟ୍ ଯୋଗାଯୋଗ, ନାଭିଗେସନ୍ ଏବଂ ପାୱାର ଗ୍ରୀଡକୁ ଉପରେ ପ୍ରଭାବ ପକାଇଥାଏ । ଏହା ଉପରେ ୟୁରୋପୀୟ ମହାକାଶ ଏଜେନ୍ସିର ବୈଜ୍ଞାନିକମାନେ ଅଧ୍ୟୟନ କରିବେ ।