କେନ୍ଦୁଝର: ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ,ଭୁବନେଶ୍ୱର ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ, କେନ୍ଦୁଝର ଦ୍ଵାରା ଆୟୋଜିତ ୬୮ ତମ ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗୀତା ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ବିଭାଗ ରବିବାର ମହାସମାରୋହରେ ଉଦଘାଟିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଗୋରୀରାଣୀ ନାଏକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାଏକ ଯୋଗ ଦେଇ ଲକ୍ଷ୍ୟ ହାସଲ ପାଇଁ ସାଧନା ଜାରି ରଖିବା ଆବଶ୍ୟକ ବୋଲି କ୍ରୀଡାବିତ୍ ମାନଙ୍କୁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ ପାଠ ପଢ଼ା ସହିତ ଖେଳକୁ ଅଗ୍ରାଧିକାର ଦେବାକୁ ଅଭିଭାବକ ମାନେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ଯୋଗ ଦେଇ ଜୀବନରେ ଶୃଙ୍ଖଳା ରହିଲେ ସବୁ କ୍ଷେତ୍ରରେ ସଫଳତା ମିଳି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଶାରୀରିକ ଶିକ୍ଷା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡ଼ା ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର

ମୋହନ ବାରିକ ଯୋଗ ଦେଇ ଆନ୍ତର୍ଜାତିକ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ଖେଳାଳି ମାନେ ବିଦ୍ୟାଳୟ ସ୍ତରରୁ ଖେଳ ଆରମ୍ଭ କରି ଆଜି ସୁନାମ ଅର୍ଜନ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଯୋଗ ଦେଇ ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଅଗ୍ରାଧିକାର ଦିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ଜଗନ୍ନାଥ ଓ ମା ତାରିଣୀଙ୍କ ମୂର୍ତ୍ତି ରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରାଯିବା ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶୁଆକାଟି ର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।ଏହି ଅବସରରେ କ୍ରୀଡ଼ା ମଶାଲ ପ୍ରଜ୍ବଳନ କରାଯିବା ପରେ ସମ୍ମିଳିତ ମାର୍ଚ୍ଚ ପାଷ୍ଟ କୁ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ। ଏହା ପରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ୬୮ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗୀତା ଉଦଘାଟିତ ହେଲା ବୋଲି ଘୋଷଣା କରିଥିଲେ।୩୧ ଟି କ୍ରୀଡ଼ା ଜିଲ୍ଲା ର ୭୧୦ ପ୍ରତିଯୋଗୀ,୯୯ ଜଣ କୋଚ୍ ଓ ପରିଚାଳକ,ରାଜ୍ୟ ତଥା ଜିଲ୍ଲାର ୧୧୦ ଜଣ ଅଫିସିଆଲ୍ ଯୋଗ ଦେଇଛନ୍ତି।ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

0 Comments