କେନ୍ଦୁଝର: କେନ୍ଦୁଝର ଭଳି ଆଦିବାସୀ ଅଧ୍ୟଷିତ ପଛୁଆ ଜିଲାରେ ଶିକ୍ଷାକ୍ଷେତ୍ରରେ ସିଟିଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । କେନ୍ଦୁଝର ସହର ଉପକଣ୍ଠ ନଇଗାସ୍ଥିତ ଶିଖା ନିକେତନ ଠାରେ ଗୁରୁବାର ଘରୋଇ ଶିକ୍ଷାନୁଷ୍ଠାନ ‘ ସିଟିଜି ଫାଉଣ୍ଡେସନ’ର ୨୪ତମ ବାର୍ଷିକୋତ୍ସବରେ ଯୋଗଦେଇ ଅତିଥିଗଣ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଛନ୍ତି । ୩୨୬୨ର ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯାଜ୍ଞଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଦ୍ବନ୍ଦିତାମୂଳକ ଯୁଗରେ ଛାତ୍ରଛାତ୍ରୀ କଠିନ ଅଧ୍ୟବସାୟ ବଳରେ ନିଜର ଉତ୍କର୍ଷତା ପ୍ରତିପାଦନ କରି ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ । କେନ୍ଦୁଝରଗଡ ନଗରପାଳ ନିକୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାଦାନ କ୍ଷେତ୍ରରେ ସିଟିଜିର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଵେଚ୍ଛାସେବୀ ସଙ୍ଗଠନ ଶତାବ୍ଦୀର ନିର୍ଦ୍ଦେଶକ ସଂଗ୍ରାମ ଦାସ, ସିଟିଜି ଚ୍ୟାରିଟେବୁଲ ଟ୍ରଷ୍ଟ ଚେୟାରମ୍ୟାନ ସୁଭଦ୍ରା ପଲେଇ ଓ ସିଟିଜି ଗ୍ଲୋବାଲ ସ୍କୁଲ ଓ ସିଟିଜି ବିଦ୍ୟା ମନ୍ଦିରର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥ୍ୟ ଭାବେ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ ସଭାପତିତ୍ବ କରି ଦୀକ୍ଷାନ୍ତ ଭାଷଣରେ କିଭଳି ସଂଘର୍ଷମ
ଜୀବନ ସହ ସଂଗ୍ରାମ କରି ଆଜକୁ ୨୪ ବର୍ଷ ତଳେ ଆରମ୍ଭ ହୋଇଥିବା ଛୋଟୁ ଟ୍ୟୁଟୋରିଆଲ ଗ୍ରୁପ୍ ଆଜି ଶିକ୍ଷାକ୍ଷେତ୍ରରେ ଏକ ମହାଦୃମରେ ପରିଣତ ହୋଇ ମାନବସମ୍ବଳ ବିକାଶ କ୍ଷେତ୍ରରେ କେନ୍ଦୁଝର ଜିଲାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଆସ୍ଥାଭାଜନ ହୋଇପାରିଛି ସେ ସମ୍ପର୍କରେ ନିଜର ଅନୁଭୂତିକୁ ବଖାଣିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଉପସ୍ଥାପିକା ସମୟଶ୍ରୀ ଚାଟାର୍ଜୀଙ୍କୁ ‘ସିଟିଜି ପ୍ରତିଭା ସମ୍ମାନ-୨୦୨୪ ’ ଏବଂ ଓଡିଶା କ୍ରିକେଟ ଆସୋସିଏସନର ଯୁବ କ୍ରିକେଟର ଶୁଭମ ପ୍ରିୟଦର୍ଶିଙ୍କୁ ‘ସିଟିଜି ରତ୍ନ- ୨୦୨୪ ’ ସମ୍ମାନରେ ସମ୍ବଦ୍ଧିତ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟାପିକା ପୂଜା ଅର୍ଚ୍ଚନା ମିଶ୍ର ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଶେଷରେ ଇଂରାଜୀ ଅଧ୍ୟାପକ ଶଶିକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅଭିନେତା ସ୍ଵରାଜଙ୍କ କଳାଭିନୟ ସାଙ୍ଗକୁ ସିଟିଜି ଫେସନ ସୋ’ ଅନୁଷ୍ଠିତ ହୋଇଥିଲା ।