ଶ୍ରୀନଗର: ଜମ୍ମୁ-କାଶ୍ମୀରର ବହୁ ପ୍ରତୀକ୍ଷିତ ଜେଡ୍-ମୋଡ୍ ଟନେଲ ଉଦଘାଟିତ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟନେଲକୁ ଉଦଘାଟନ କରିଛନ୍ତି । ଏହା ପର୍ଯ୍ୟଟନ ଓ ଯୋଗାଯୋଗ କ୍ଷେତ୍ରକୁ ଆହୁରୀ ମଜଭୁତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଜମ୍ମୁ-କାଶ୍ମୀରର ଶ୍ରୀନଗର- ସୋନମାର୍ଗ ରାଜପଥରେ ନିର୍ମିତ ଏହି ଜେଡ ମୋଡ ଟନେଲ ପର୍ଯ୍ୟଟନଠୁ ନେଇ ପ୍ରତିରକ୍ଷା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ବହୁ ଗୁରୁତ୍ୱ ବହନ କରେ । ଏହା କାଶ୍ମୀର ଓ ଲଦାଖ ମଧ୍ୟରେ ଯୋଗାଯୋଗକୁ ଆହୁରି ସହଜ କରିବ ।
ଜେଡ୍-ମୋଡ୍ ଟନେଲ ଉଦଘାଟନ ଅବସରରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, "ଏହି ଟନେଲ କାର୍ଯ୍ୟକାରୀ ହେବା ଦ୍ୱାରା କାଶ୍ମୀରର ପର୍ଯ୍ୟଟନ ଆହୁରୀ ସୁଦୃଢ ହେବ । ୨ ଦିନ ପୂର୍ବର
ୁ ଆମ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସୋସିଆଲ ମିଡିଆରେ ଏହି ସ୍ଥାନର କିଛି ଫଟୋ ପୋଷ୍ଟ କରିଥିଲେ । ସେହି ଫଟୋକୁ ଦେଖିବା ପରେ ଏଠାକୁ ଆସିବାକୁ ମୋର ଉତ୍ସାହ ଆହୁରୀ ବଢିଯାଇଥିଲା ।"
ସୋନମାର୍ଗ ଟନେଲ ବିଷୟରେ ମୋଦି କହିଛନ୍ତି, "ଏହି ଟନେଲ ସୋନମାର୍ଗ ସହ କାର୍ଗିଲ ଏବଂ ଲେହ ଲୋକଙ୍କ ଜୀବନକୁ ଆହୁରି ସହଜ କରିବ । ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରକୁ ଏହା ଆହୁରୀ ଉଚ୍ଚକୁ ନେବ । କିଛି ଦିନ ମଧ୍ୟରେ ରାସ୍ତାଘାଟ ଓ ରେଳ ଯୋଗାଯୋଗକୁ ନେଇ ଅନେକ ପ୍ରକଳ୍ପ ଜମ୍ମୁ-କାଶ୍ମୀରରେ କାର୍ଯ୍ୟକାରୀ ହୋଇଛି । କାଶ୍ମୀର ରେଳପଥରେ ଯୋଡି ହେବାକୁ ଯାଉଛି । ହସ୍ପିଟାଲ, କଲେଜ ନିର୍ମାଣ କରାଯାଉଛି । ଏହା ନୂଆ କାଶ୍ମୀର ।"
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ଟମ୍ଟା, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।
୬.୪ କିମି ଲମ୍ବର ଏହି ଜେଡ୍- ମୋଡ ସୁଡଙ୍ଗ ସୋନମାର୍ଗର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ଏବଂ ଏହା ଗନ୍ଦେରବଲ ଜିଲ୍ଲାର କଙ୍ଗନ ସହରକୁ ଯୋଡିଥାଏ । ଶୀତ ଋତୁରେ ଶ୍ରୀନଗର ଓ ଘାଟି ରାସ୍ତାଗୁଡିକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ କାରଣ ଏହାରୁ ଯୋଗାଯୋଗ କରିବାକୁ ମାତ୍ର ଗୋଟିଏ ରାସ୍ତା ଥିବା ବେଳେ ତାହା ବରଫରେ ପୂର୍ଣ୍ଣ ହୋଇଯାଏ । ତୁଷାରପାତ ଓ ଭୁସ୍ଖଳନ ଭୟ ମଧ୍ୟ ବଢିଯାଏ । ଏହି ସୁଡଙ୍ଗ ଯୋଗୁ ଗନ୍ଦେରବଲ-ଲେହ ରାଜରାସ୍ତା ବର୍ଷ ତମାମ ଖୋଲା ରହିବ ।
ଏହାର ନିକଟରେ ଥିବା ଜୋଜିଲା ସୁଡଙ୍ଗ ମଧ୍ୟ ୨୦୨୮ ମସିହା ବେଳକୁ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ବାରା ଲେହକୁ ଯୋଗାଯୋଗ ଆହୁରୀ ସୁବିଧା ହେବ । ଏହା ସାମରିକ ତଥା ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଗୁରୁତ୍ୱ ବହନ କରେ । ଏହି ସୁଡଙ୍ଗ ସିନ୍ଧୁ ନଦୀର ୮ହଜାର ୫୦୦ଫୁଟ ଉଚ୍ଚରେ ନିର୍ମାଣ କରାଯାଇଛି । ୨୦୧୨ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି ରାଜପଥ ମାଧ୍ୟମରେ ଲଦାଖ ତଥା ପୂର୍ବ ସୀମାରେ ଚୀନ ଓ ଭାରତ ମଧ୍ୟରେ ଥିବା ବିବାଦୀୟ ବାସ୍ତବିକ ନିୟନ୍ତ୍ରଣ ରେଖାରେ ନିୟୋଜିତ ସେନା ଓ ସୁରକ୍ଷା ବାହିନୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ତଥା ଦୈନିକ ବ୍ୟବହାର ସାମଗ୍ରୀକୁ ଶୀଘ୍ର ପହଞ୍ଚାଇ ହେବ ।