ତିରୁପତି (ଆନ୍ଧ୍ର): ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ ମନ୍ଦିରରେ ଦଳାଚକଟାରେ 6 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏଥିରେ ଏକାଧିକ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇଛନ୍ତି । ଆଜି ସଂଧ୍ୟାରେ ମନ୍ଦିର ପରିସ
ରରେ ଥିବା ସର୍ବଦର୍ଶନ ଟୋକନ୍ କାଉଣ୍ଟରରେ ମାତ୍ରାଧିକ ଭିଡ କାରଣରୁ ଏହି ଦଳାଚକଟା ହୋଇଥିବା ସୂଚନା ମିଳିଛି । କେତେ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି, ସେନେଇ ମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନି । ଦଳଚକଟା ପରେ ସର୍ବସାଧାରଣ ଦର୍ଶନ ପାଇଁ ଥିବା ଟିକେଟ କାଉଣ୍ଟରକୁ ବନ୍ଦ ରଖାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଫ୍ରି ଦର୍ଶନ ବା ସର୍ବଦର୍ଶନ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ସମ୍ମୁଖରେ ବହୁମାତ୍ରାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଥିଲା । ମାତ୍ର କୌଣସି କାରଣରୁ ଭକ୍ତଙ୍କ ମଧ୍ୟରେ ବଚସା ହେବାରୁ ଠେଲାପେଲା ଆରମ୍ଭ ହୋଇଥିଲା । ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଶ୍ରଦ୍ଧାଳୁ ଦୌଡା ଦୌଡି ହେବାରୁ ଦଳାଚକଟା ଘଟିଥିଲା । ଅଚେତ ହୋଇପଡିଥିବା କିଛି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ପ୍ରଥମେ 4 ଜଣ ଓ ପରେ ଦୁଇଜଣଙ୍କୁ ମିଶାଇ ମୋଟ 6 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ମହିଳା ଶ୍ରଦ୍ଧାଳୁ ମଧ୍ୟ ରହିଛନ୍ତି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି । ମନ୍ଦିର ପ୍ରଶାସନ ସର୍ବଦର୍ଶନ ବ୍ୟବସ୍ଥାକୁ ସାମୟିକ ବନ୍ଦ ରଖିଛି ।
ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି) ତଥ୍ୟ ଅନୁସାରେ, ଦୈନିକ ପ୍ରାୟ 40 ହଜାର ଟୋକନ ଅନୁପାତରେ ଆସନ୍ତା 10ରୁ 12 ତାରିଖ ପାଇଁ ପ୍ରାୟ 1.2 ଲକ୍ଷ ଟୋକନ ପ୍ରଦାନ କରିବାକୁ ବ୍ୟବସ୍ଥା କରିଛି । ମାତ୍ର ଗତକାଲି ଠାରୁ କାଉଣ୍ଟର ସମ୍ମୁଖରେ ପ୍ରବଳ ଗହଳି ଲାଗିରହିଛି । ଆସନ୍ତାକାଲି ସକାଳୁ ଟିକେଟ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ନେଇ ଟିଟିଡି ଘୋଷଣା କରିବା ମାତ୍ରେ ଅଚାନକ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।