ck_fba9a0; font-size: 17px;">
ଶ୍ରୀ ରାମଲାଲାଙ୍କ ଐତିହାସିକ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ପାଳୁଛି ରାମ ଜନ୍ମଭୂମି ଅଯୋଧ୍ୟା । ଗତବର୍ଷ (୨୦୨୪) ଜାନୁଆରୀ ୨୨ ତାରିଖରେ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ କର୍ତ୍ତା ଭାବେ ଏହି ବିଧିରେ ଅଂଶଗ୍ରହଣ କରିଥିଲେ । ତେବେ ତିଥି ଅନୁସାରେ, ଆଜି ଏକ ବର୍ଷ ପୂର୍ତ୍ତି ହେଉଥିବାରୁ ପ୍ରଥମ ବାର୍ଷିକୀ ପାଳନ କରାଯାଉଛି । ଆଜି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଆଜି ରାମଲାଲାଙ୍କ ବିଶେଷ ନୀତିକାନ୍ତି ଓ ଶୃଙ୍ଗାର ସହ ପୂଜାର୍ଚ୍ଚନା କରାଯାଉଛି ।
ଭାରତୀୟ ସଂସ୍କୃତିରେ ପ୍ରାୟ ସମସ୍ତ ପର୍ବପାର୍ବଣୀ ଇଂରାଜୀ କ୍ୟାଲେଣ୍ଡର ପରିବର୍ତ୍ତେ ହିନ୍ଦୁ କ୍ୟାଲେଣ୍ଡର ତଥା ପାଞ୍ଜି ନିର୍ଦ୍ଧାରିତ ତିଥି ଅନୁସାରେ ପାଳନ କରାଯାଏ । ଯାହା ପୂର୍ବରୁ ନିର୍ଦ୍ଧାରିତ ରହିଥାଏ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଇଂରାଜୀ କ୍ୟାଲେଣ୍ଡର ଆଧାରରେ ଜାନୁଆରୀ ୨୨ ତାରିଖରେ କରାଯାଇଥିଲା । ମାତ୍ର ତିଥି ଆଧାରରେ ଏହା ଥିଲା ‘ପୌଷ ଶୁକ୍ଳପକ୍ଷ ଦ୍ବାଦଶୀ ’। ଆଜି ହେଉଛି ସେହି ଦ୍ବାଦଶୀ ତିଥି ବା ‘କୁର୍ମ ଦ୍ବାଦଶୀ’ । ତେଣୁ ତିଥି ଆଧାରରେ ଆଜି ପ୍ରାଣ ପ୍ରତିଷ୍ଠାକୁ ଏକ ବର୍ଷ ପୂର୍ତ୍ତି ହେଉଛି । ବିଭିନ୍ନ ପଣ୍ଡିତ ଓ ସନ୍ଥଙ୍କ ପରାମର୍ଶ କ୍ରମେ ତଥି ଆଧାରରେ ଆଜି ପ୍ରଥମ ବାର୍ଷିକୀ ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ଦିର ପ୍ରଧାନ ପୂଜକ କହିଛନ୍ତି
ରାମ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ‘ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ ଟ୍ବିଟ୍ ମାଧ୍ୟମରେ ଏହି ତଥ୍ୟ ପ୍ରକାଶ କରିଛି । କେଉଁ ଦିନ ବାର୍ଷିକ ଉତ୍ସବ ପାଳନ କରାଯିବା ସେନେଇ ପୁରୋହିତ ଓ ସନ୍ଥଙ୍କ ସହ ଆଲୋଚନା କରାଯିବା ପରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭାରତୀୟ ସଂସ୍କୃତିର ସମସ୍ତ ପର୍ବ ପର୍ବାଣୀ ହିନ୍ଦୁ କ୍ୟାଲେଣ୍ଡର ଆଧାରିତ । ତେଣୁ ପ୍ରତ୍ୟେକ ବର୍ଷ ‘ପୌଷ ଶୁକ୍ଳପକ୍ଷ ଦ୍ବାଦଶୀ’ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିବା ଟ୍ରଷ୍ଟ ସ୍ପଷ୍ଟ କରିଛି । ଏହି ବାର୍ଷିକ ଉତ୍ସବର ନାମ ରଖାଯାଇଛି ‘ପ୍ରତିଷ୍ଠା ଦ୍ବାଦଶୀ’ ।
ତେବେ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଗତ ବର୍ଷେ ହେବ ପୂଜାର୍ଚ୍ଚନା ଜାରି ରହିଛି । ମାତ୍ର ମନ୍ଦିର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନି । ଆସନ୍ତାବର୍ଷ (୨୦୨୬) ସୁଦ୍ଧା ମନ୍ଦିର ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏବେ ବିଭିନ୍ନ ମଣ୍ଡପର କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ମୁଖ୍ୟ ମନ୍ଦିରର ଚୂଡା କାମ ଜାରି ରହିଛି । ସେହିପରି ମନ୍ଦିର ବେଢା, ପାର୍ଶ୍ବଦେବାଦେବୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଜାରି ରହିଛି । ୨୦୨୬ ସୁଦ୍ଧା ଏହି ଭବ୍ୟ ମନ୍ଦିର କମ୍ପଲେକ୍ସ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ର ନିର୍ମାଣ କମିଟି ।