ଜୟପୁର: ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ବଡ଼ ଅଘଟଣ । ପିକନିକ ହେଲା କାଳ । ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ 11 ଯୁବକ । ସେମାନଙ୍କ ମଧ୍ୟରୁ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସମସ୍ତ ମୃତକ ଜୟପୁରର ବୋଲି ଜଣାପଡିଛି ।
ରାଜସ୍ଥାନର ଟୋଙ୍କ ଜିଲ୍ଲା ବନାସ ନଦୀରେ ଏହି ଦୁଃଖଦ ଘଟଣା ଘଟିଛି । ଆଜି(ମଙ୍ଗଳବାର) ଜୟପୁର ଅଞ୍ଚଳର 11 ଯୁବକ ପିକନିକ କରିବାକୁ ଯାଇଥିଲେ । ବନାସ ନଦୀରେ ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସି ଯାଇଥିଲେ । ଫଳରେ 8 ଜଣଙ୍କ ମୃତ୍ୟୁ ହୋଇଛି । ବାକି 3 ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ତେବେ ଯୁବକ ବୁଡିଯିବା
ଖବର ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ସେମାନଙ୍କ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଥିଲା । ହେଲେ 8 ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି 3 ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଛନ୍ତି ଟୋଙ୍କ ଜିଲ୍ଲା
ଏସପି ଜିତେନ୍ଦ୍ର କୁମାର ସୋନି ।
8 ଯୁବକଙ୍କ ମୃତ୍ୟୁକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଯୁବକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନା କରିଛନ୍ତି । ଏହା ସହ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।