ବେଙ୍ଗାଲୁରୁ: ଆରସିବି ବିଜୟ ଉତ୍ସବ ସେଲିବ୍ରେସନ ବେଳେ ଦଳାଚକଟାରେ 11 ଜଣ ଫ୍ୟାନ୍ସଙ୍କ ମୃତ୍ୟୁ ସୂଚନା । ବେଙ୍ଗାଲୁରୁରେ RCBର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟିଛି । ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟାରେ ଏକାଧିକ ଫ୍ୟାନ୍ସଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁତ ସଂଖ୍ୟାରେ କ୍ରିକେଟ ଫ୍ୟାନ ଭିଡ଼ ଜମାଇବାରୁ ଅଘଟଣ ଘଟିଥିଲା ।
ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମର ଫାଟକ ନିକଟରେ ବୁଧବାର ଦଳାଚକଟା ଘଟି ଜଣେ ମହିଳାଙ୍କ ସମେତ 11 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 15 ଜଣ ଆହତ ହୋଇଛନ୍ତି । ସେମାନଙ୍କ
ମଧ୍ୟରୁ କେତେକ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବା ପରେ ହଜାର ହଜାର ପ୍ରଶଂସକ ସେଠାରେ ଏକତ୍ରିତ ହୋଇଥିଲେ ବିଜୟ ଉତ୍ସବ ସେଲିବ୍ରେସନ୍ ପାଇଁ । ଏହି ସମୟରେ ବହୁତ ସଂଖ୍ୟାରେ କ୍ରିକେଟ୍ ଫ୍ୟାନ ଭିଡ ଜମାଇବାରୁ ଅଘଟଣ ଘଟିଛି ।
ଆରସିବିର ଆଇପିଏଲ ବିଜୟ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଷ୍ଟାଡିୟମ ଫାଟକ ଆଡ଼କୁ ମାଡିଗଲା ସମୟରେ ଭିଡ଼ ଜମିବା ସହିତ ଦଳାଚକଟା ଘଟି ଜୀବନହାନି ହେବା ପରେ ଉତ୍ସବର ମାହୋଲ କ୍ଷଣିକେ ଦୁଃଖଦ ସ୍ଥିତିକୁ ବଦଳିଯାଇଛି ।
ମୃତକ ଏବଂ ଆହତ ବ୍ୟକ୍ତିଙ୍କ ନାମ ଏବଂ ଅନ୍ୟାନ୍ୟ ବିବରଣୀ ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶ କରାଯାଇ ନାହିଁ । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ତିନି ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଶହ ଶହ ପ୍ରଶଂସକ ବ୍ୟାରିକେଡ୍ ଭାଙ୍ଗି ଷ୍ଟାଡିୟମରେ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଦଳାଚକଟା ହୋଇଥିଲା । ପରେ ପୋଲିସ ମୃଦୁ ଲାଠିଚାର୍ଜ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହା ସହିତ ଷ୍ଟାଡିୟମ ନିକଟ ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି ।
ପୋଲିସ କହିଛି ଯେ ରାସ୍ତାରେ ଅତ୍ୟଧିକ ଭିଡ଼ ଯୋଗୁଁ ଆମ୍ବୁଲାନ୍ସଗୁଡ଼ିକ ଶୀଘ୍ର ହସ୍ପିଟାଲକୁ ଯାଇପାରିଲା ନାହିଁ । ଏକ ଭିନ୍ନ ଘଟଣାରେ, ଜଣେ ପ୍ରଶଂସକ ଷ୍ଟାଡିୟମ ଭିତରକୁ ଡେଇଁବା ପାଇଁ ଗେଟ୍ ଚଢ଼ିବା ସମୟରେ ପଡ଼ିଗଲେ ଏବଂ ତାଙ୍କ ଗୋଡ଼ ଭାଙ୍ଗିଗଲା । ସୁରକ୍ଷା କାରଣ ଦର୍ଶାଇ କର୍ଣ୍ଣାଟକ ସରକାର ପୂର୍ବରୁ ବିଧାନ ସୌଧରୁ ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମକୁ ବିଜୟ ପରେଡ୍ ବାତିଲ କରିଥିଲେ ।
ଆଜି ସକାଳେ RCB ଦଳ HAL ବିମାନବନ୍ଦରରେ ପହଞ୍ଚିଲା, ସେମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ସେ ପ୍ରତ୍ୟେକ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଶିବକୁମାର ବିଶେଷ ଭାବରେ କ୍ରିକେଟର ବିରାଟ କୋହଲିଙ୍କୁ ସ୍ୱାଗତ କରିଥିଲେ, ତାଙ୍କୁ RCB ଦଳର ପତାକା ଏବଂ କନ୍ନଡ ପତାକା ଉଭୟ ପ୍ରଦାନ କରିଥିଲେ ।