ରାୟଗଡା: ରାୟଗଡାରେ ବିଶିଷ୍ଟ ପରିବେଶବିତ୍ ମେଧା ପାଟକରଙ୍କୁ ଅଟକ । ରାୟଗଡା ରେଳ ଷ୍ଟେସନରୁ ମେଧା ପାଟକରଙ୍କୁ ଉଠାଇନେଲା ପୋଲିସ ।
ିଶ୍ଵ ପରିବେଶ ଦିବସ ପ୍ରକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଆସିଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି । ଆଜି ମେଧା ପାଟକର କାଶୀପୁର ବ୍ଲକର ସୁଙ୍ଗେର ହାଟପଦାରେ ଆୟୋଜିତ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ହେଲେ ସଭାସ୍ଥଳକୁ ଯିବା ପୂର୍ବରୁ ପୋଲିସ ତାଙ୍କୁ ଉଠାଇ ନେଇଛି ।
କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ଉକ୍ତ ଅଞ୍ଚଳର ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ପୂର୍ବରୁ ଅନେକ ଥର ଖଣି ଖନନକୁ ନେଇ ଉକ୍ତ ସ୍ଥାନରେ ଅପ୍ରିତିକର ପରିବେଶ ସୃଷ୍ଟି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଆଦିବାସୀ ଆନ୍ଦୋଳନ କାରୀଙ୍କୁ ପୋଲିସ ଗିରଫ୍ ମଧ୍ଯ କରିଛି। ତେବେ ଆଜି ବିଶ୍ବ ପରିବେଶ ଦିବସ ଅବସରରେ ସୁଙ୍ଗେର ହାଟପଦାରେ ମାଆ ମାଟି ମାଳି ସୁରକ୍ଷା କମିଟି ପକ୍ଷରୁ ବିଶାଳ ସମାବେଶ ଆୟୋଜନ ହୋଇଥିଲା । ଏହି ସମାବେଶରେ ଯୋଗ ଦେଇଥିଲେ ପ୍ରଫୁଲ ସାମନ୍ତରା ଓ ଲିଙ୍ଗରାଜ ଆଜାଦଙ୍କ ସମେତ ସିଜିମାଳି, ମଞ୍ଜିଙ୍ଗମାଳୀ, କୁଡୁରୁମାଳି, ଖଣ୍ଡୁଆଳ ମାଳି ଓ ନିୟମଗିରି ଅଞ୍ଚଳରୁ ସଂଗ୍ରାମୀ ନେତା ।
ଏନେଇ ପ୍ରଫୁଲ୍ଲ କହିଛନ୍ତି, ‘ଏପରି କାର୍ଯ୍ୟକ୍ରମ ଅନେକ ସ୍ଥାନରେ ଆୟୋଜନ କରିବାକୁ ସରକାର ନିବେଦନ କରୁଥିବା ବେଳେ ଏଠାରେ କିନ୍ତୁ ତାର ଓଲଟା ଦେଖିବାକୁ ମିଳିଛି, ଗତକାଲି ଠାରୁ ଏଠାରେ ସମାବେଶ କରାଯିବ ବୋଲି ଘୋଷଣା କରାଯିବା ଶୁଣି ରାତାରାତି ସୁଙ୍ଗେର ହାଟପଦା ଠାରେ ସଭା କରିବାକୁ ୧୪୪ ଧାରା ଲଗାଯାଇ ଗଣତନ୍ତ୍ରାକୁ ହତ୍ୟା କରାଯାଇଛି । ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଆଦିବାସୀଙ୍କ କ୍ଷେତ୍ରରେ ଏପରି ଆଶା କରାଯାଉନଥିଲା ।’