ଭୁବନେଶ୍ବର: ସରିଲା ଖରା ଛୁଟି । ଜୁନ 18 ନୁହେଁ ଜୁନ 20ରେ ଖୋଲିବ ସ୍କୁଲ । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ଚିଠି କରିଛି । ପ୍ରବଳ ଖରା ପାଇଁ ଏପ୍ରିଲ 23ରୁ ରାଜ୍ୟ ସରକାର ଖରା ଛୁଟି ଘୋଷଣା କରିଥିଲେ । ଆସନ୍ତା 20ରୁ ଖୋଲିବ ସ୍କୁଲ ।
ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ
ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ତେଣୁ ନିୟମିତ ଭାବରେ ଏହାର ମାନ ଯାଞ୍ଚ କରିବେ ଅଭିଭାବକମାନେ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ । ଯେପରି ପିଲାଙ୍କ ମଧ୍ୟାହ୍ନ ଭୋଜନର ଗୁଣବତ୍ତାରେ ହ୍ରାସ ନ ହୁଏ ସେନେଇ ଧ୍ୟାନ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଥିଲା ।
ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନେକ ସମୟରେ ମଧ୍ୟାହ୍ନ ଭୋଜନ ରୋଷେଇରେ ଅସାବଧାନତା ଅବଲମ୍ବନ କରାଯାଉଥିବା ନଜରକୁ ଆସୁଛି । ଯାହା ଅନେକ ସମୟରେ ଏହାର ପ୍ରୋଟୋକଲ ଅନୁସରଣ କରାଯାଉନାହିଁ । ଅନେକ ସମୟରେ ଖରାପ ମାନର ଖାଦ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଅଭିଯୋଗ ମଧ୍ୟ ହେଉଛି । ଯାହାକୁ ନେଇ ସ୍କୁଲ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ । ସ୍କୁଲ ଖୋଲିବାର ପ୍ରଥମ ଦିନରେ ଯେପରି କୌଣସି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି, ପରିସ୍କାର ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦେବାକୁ ତାଗିଦ୍ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ରୋଷେଇ ପୂର୍ବରୁ ସହାୟିକା, ପାଚିକାଙ୍କୁ ରନ୍ଧନ ସାମଗ୍ରୀ ହସ୍ତାନ୍ତର କରାଯିବ। ଏହା ପୂର୍ବରୁ ସମସ୍ତ ସାମଗ୍ରୀର ଯଞ୍ଚ କରାଯିବ। ସ୍କୁଲ ପରିଚାଳନା କମିଟି, ସିସିଏଚ୍, ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ସମସ୍ତ ଖାଦ୍ୟର ମାନ ବା ରୋଷେଇ ଜିନିଷ ମସଲା ଆଦି ଯାଞ୍ଚ କରାଯିବ । ସ୍କୁଲ ଖୋଲିବାର ଦିନକ ପୂର୍ବରୁ ରୋଷେଇ ସ୍ଥାନକୁ ପରିଷ୍କାର କରାଯିବ । ପାନୀୟ ଜଳର ବ୍ୟବସ୍ଥାକୁ ମଧ୍ୟ ନିଶ୍ଚିତ କରାଯିବ । ଜିଲ୍ଲା ଶିକ୍ଷା ଅଧିକରୀ, ବ୍ଳକ ଶିକ୍ଷା ଅଧିକାରୀ ଓ ସିଆରସିସିମାନେ ସ୍କୁଲ ବୁଲି ମଧ୍ୟାହ୍ନ ଭୋଜର ମାନ ପରଖିବେ । ସ୍କୁଲରେ ମାନ ପରୀକ୍ଷଣ ରେଜିଷ୍ଟର ରହିବ । ଏଥିରେ ଅଭିଭାବକ, ସ୍କୁଲ ଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ମଧ୍ୟ ନିୟମିତ ଭାବେ ଖାଦ୍ୟ ଖାଇ ମାନ ପରଖିବେ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପିଏମ୍ ପୋଷଣ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ଚିଠି କରାଯାଇଛି ।