ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ 36ଟି ସ୍ଥାନରେ ଅନୁପ୍ରବେଶ ଉଦ୍ୟମ କରାଯାଇଥିବା ବେଳେ ପ୍ରାୟ 300ରୁ 400 ଡ୍ରୋନ ବ୍ୟବହାର କରାଯାଇଥିଲା। ଗୁରୁବାରର ଆକ୍ରମଣ ସମ୍ପର୍କରେ ସୂଚନା ପ୍ରଦାନ କରି ଏହି ତଥ୍ୟ ରଖିଛନ୍ତି, କର୍ଣ୍ଣେଲ ସୋଫିଆ କ୍ୟୁରେଶୀ। ପାକିସ୍ତାନ ପକ୍ଷରୁ ଗୁଳିବର୍ଷା ସମ୍ପର୍କରେ ସେନା ଗଣମାଧ୍ୟମକୁ ସୂଚନା ଦେଇଛି। ଏପରିକି ପାକିସ୍
ତାନ ପକ୍ଷରୁ ବ୍ୟବହାର କରାଯାଇଥିବା ପ୍ରାୟ 300ରୁ 400 ଡ୍ରୋନ୍ ଗୁଡ଼ିକ ତୁର୍କୀର ଥିଲା ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।
ସୋଫିଆ କହିଛନ୍ତି ଯେ, "୭ ଏବଂ ୮ ମେ ରାତିରେ ପାକିସ୍ତାନୀ ସେନା, ଭାରତୀୟ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ସମଗ୍ର ପଶ୍ଚିମ ସୀମାରେ ଅନେକ ଥର ଭାରତୀୟ ବାୟୁସୀମା ଉଲ୍ଲଂଘନ କରିଥିଲା। କେବଳ ଏତିକି ନୁହେଁ, ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାରେ ଭାରୀ କ୍ୟାଲିବର ଅସ୍ତ୍ରଶସ୍ତ୍ର ମଧ୍ୟ ଚଳାଇଥିଲା।"
କର୍ଣ୍ଣେଲ ସୋଫିଆ କହିଛନ୍ତି ଯେ, "36ଟି ସ୍ଥାନରେ ଅନୁପ୍ରବେଶ ଚେଷ୍ଟା କରିବା ପାଇଁ ପ୍ରାୟ 300ରୁ 400 ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଭାରତୀୟ ସଶସ୍ତ୍ର ବାହିନୀ ଗତିଜ ଏବଂ ଅଣ-ଗତିଜ ଉପାୟ ବ୍ୟବହାର କରି ଏହି ଡ୍ରୋନଗୁଡ଼ିକ ମଧ୍ୟରୁ ଅନେକକୁ ଖସାଇ ଦେଇଥିଲା।
କର୍ଣ୍ଣେଲ ସୋଫିଆ କହିଛନ୍ତି ଯେ, ଏତେ ବଡ଼ ଆକାଶ ମାର୍ଗରେ ଅନୁପ୍ରବେଶର ସମ୍ଭାବ୍ୟ ଉଦ୍ଦେଶ୍ୟ ହେଉଛି, ବାୟୁ ପ୍ରତିରକ୍ଷା ପ୍ରଣାଳୀର ପରୀକ୍ଷା କରିବା ଏବଂ ଗୁପ୍ତ ସୂଚନା ସଂଗ୍ରହ କରିବା। ଡ୍ରୋନ୍ ଭଗ୍ନାବଶେଷର ଫୋରେନସିକ୍ ତଦନ୍ତ କରାଯାଉଛି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ, ସେଗୁଡ଼ିକ ତୁର୍କୀର ଆସିଗାର୍ଡ ସୋଙ୍ଗାର ଡ୍ରୋନ୍।
ଗଣମାଧ୍ୟମକୁ ସୂଚନାଦେଇ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି ଯେ,"... ପାକିସ୍ତାନ ବେସାମରିକ ବିମାନକୁ ଢାଲ ଭାବେ ବ୍ୟବହାର କରୁଛି। ଏହା ଭଲ ଭାବେ ଜାଣି ଯେ, ଭାରତ ଉପରେ ଏହାର ଆକ୍ରମଣକୁ ଭାରତ ପକ୍ଷରୁ ତୀବ୍ର ବାୟୁ ପ୍ରତିରକ୍ଷା ଜବାବ ଦିଆଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନ୍ତର୍ଜାତୀୟ ସୀମା ନିକଟରେ ଉଡ଼ୁଥିବା ଅଜଣା ବେସାମରିକ ବିମାନ ଓ ଅନ୍ତର୍ଜାତୀୟ ବିମାନ ପାଇଁ ଏହା ସୁରକ୍ଷିତ ନୁହେଁ।"