ଭୁବନେଶ୍ବର: ଜରୁରୀକାଳୀନ ପରିସ୍ଥିତ ସମୟରେ ଜେଲ ଯାଇଥିବା ୨୩ ଜଣ ସଂଗ୍ରାମୀଙ୍କୁ ମିଳିବ ପେନସନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୩ ଜଣ ମିସା ବନ୍ଦୀମାନଙ୍କୁ ପେନସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ୨୧ ଜଣ ସଂଗ୍ରାମୀଙ୍କ ପାଇଁ ପେନସନ ଘୋଷଣା ହୋଇଥିଲା । ସମୁଦାୟ ୪୪ ଜଣ ପେନସନ ପାଇବେ ବୋଲି ସୂଚନା ମିଳିଛି ।

ଓଡିଆ ଅସ୍ମିତାର ନିଦର୍ଶନ ସ୍ବ

ରୂପ ବରପୁତ୍ର ଓ ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି । ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ମଧ୍ୟ ପେନସନ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା ବନ୍ଦୀମାନଙ୍କୁ ପେନସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍‌.ଆଇ.ଆର ବନ୍ଦୀ ଅଛନ୍ତି । ପୂର୍ବରୁ ୨୧ ଜଣ ମିସା ବନ୍ଦୀଙ୍କ ପେନସନ ଅନୁମୋଦନ କରାଯାଇଥିଲା । ଏହା ଫଳରେ ସମୁଦାୟ ୪୪ ଜଣ ମିସା ବନ୍ଦୀ ପେନ୍‌ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ମିସା ଆଇନରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନେ ମାସକୁ ୨୦ ହଜାର ଟଙ୍କାର ପେନସନ ପାଇବେ । ଏହା ସହିତ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ୨୫ ଜୁନ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତି ହୋଇଥିଲା । ଦେଶର ଜରୁରୀକାଳୀନ ପରିସ୍ଥିତି ବିରୋଧ କରି ଅନେକ ସଂଗ୍ରାମୀ MISA, DIR, DISIR ଆଦି ଆଇନ ବଳରେ ଗିରଫ ହୋଇ ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ପେନସନ ଓ ଚିକିତ୍ସା ସୁବିଧା ପାଇବେ ବୋଲି ନିଷ୍ପତ୍ତି କରାଯାଇଛି ।

ଚଳିତ ବର୍ଷ ଜାନୁଆରୀ ୧୩ ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୧ ସୁତ୍ରୀ ନିୟମ ଅନୁସାରେ ମିସା ବନ୍ଦୀ ଚିହ୍ନଟ ହେଉଛନ୍ତି । ଆବେଦନ ପତ୍ର ସହ ସମ୍ପୂର୍ଣ୍ଣ ତଥ୍ୟ ଓ ୩ ଜଣ ଜଣାଶୁଣା ସହଯୋଗୀ ବନ୍ଦୀଙ୍କ ତଥ୍ୟ ଓ ସତ୍ୟପାଠ ସଂପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ୱରେ ଗଠିତ କମିଟି ଆବେଦନକୁ ତର୍ଜମା କରିବ । ଏହା ପରେ ତାଲିକା ଗୃହ ବିଭାଗକୁ ଆସିବ । ଗୃହ, ଅର୍ଥ, ଆଇନର ସଚିବ, ଗୃହ ବିଭାଗର ଆର୍ଥିକ ଉପଦେଷ୍ଟା, ପୋଲିସ ଓ ଜେଲ ଡିଜିଙ୍କୁ ନେଇ ଗଠିତ ରାଜ୍ୟସ୍ତରୀୟ କମିଟି ଅନୁମୋଦନ କରିବେ । କମିଟିରେ ଅନୁମୋଦନ ପରେ ସରକାର ଏହି ସୁବିଧା ଯୋଗାଇ ଦେବେ ।

0 Comments