ଭୁବନେଶ୍ବର: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଯୁଦ୍ଧ ଆଶଙ୍କା ଘନଉଥିବା ବେଳ ଯଦି ଶତ୍ରୁ ଦେଶ ଆକ୍ରମଣ କରେ ତେବେ ସାଧାରଣ ଲୋକ ନିଜକୁ କେମିତି ସୁରକ୍ଷା ଦେବେ ସେନେଇ ଆସନ୍ତାକାଲି ସାରା ଦେଶରେ ମକଡ୍ରିଲ କରାଯିବ । ଦେଶର 244 ଜିଲ୍ଲାରେ ଏହି ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଓଡ଼ିଶାର 12 ଜିଲ୍ଲରେ ହେବ । ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକଡ୍ରିଲ କରାଯିବ । ଆସନ୍ତାକାଲି ଅପରାହ୍ନ 4ଟାରେ ସାଇରନ ବାଜିବା ସହ ମକଡ୍ରିଲ ଆରମ୍ଭ ହେବ । 5 ମିନିଟ ଧରି ସାଇରନ ବାଜିବ ବୋଲି ସୂଚନା ମିଳିଛି । ଏନେଇ ଆଜି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡଙ୍ଗୀ ଓ OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ର ପ୍ରସ୍ତୁତି ବାବଦରେ ସୂଚନା ଦେଇଛନ୍ତି ।
ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡଙ୍ଗୀ କହିଛନ୍ତି, " ଆସନ୍ତାକାଲି ଅପରାହ୍ନ 4ରେ ମକ ଡ୍ରିଲ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ରହିଛି । ଓଡିଶାରେ ମଧ୍ୟ ଆଜି ଏ ସଂପର୍କରେ ପ୍ରସ୍ତୁତି ବୈଠକ ହୋଇଛି । ରାଜ୍ୟର 12 ଜିଲ୍ଲାରେ ମକ ଡ୍ରିଲ ହେବ । ମକ ଡ୍ରିଲ ହେବାକୁ ଥିବା ଜିଲ୍ଲା ହେଉଛି ଅନୁଗୋଳ, ଖୋର୍ଦ୍ଧା, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଗଞ୍ଜାମ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର । ଏହି ମକ ଡ୍ରିଲ ସାତ ଦିନ ଧରି ଚାଲିବ । ଆସନ୍ତାକାଲି କିଛି ସହରାଞ୍ଚଳରେ ଏହା କରାଯିବ । ଓଏସଡିଏମଏ କର୍ତ୍ତୃପକ୍ଷ ଉପକୂଳ ଅଞ୍ଚଳରେ ଥିବା ପ୍ରାକୃତିକ ବିପର୍ଯ୍ୟୟ ସାଇରନ ବଜାଇବା ଲାଗି ବ୍ୟବସ୍ଥା କରିବେ । ଶତ୍ରୁ ବିମାନ ଆକ୍ରମଣ ସମୟରେ ସାଇରନ ବଜେଇ ସାଧାରଣ ଲୋକଙ୍କୁ ସତର୍କ କରିବା ଏହି ମକ ଡ୍ରିଲର ଲକ୍ଷ୍ୟ । ଆସନ୍ତାକାଲି 4 ଟା ବେଳେ ସାଇରନ ଲମ୍ବା ବାଜିବ । ପାଖାପାଖି 5 ମିନିଟ ସାଇରନ ବାଜିବ । ସାଇରନ ବାଜିବା କ୍ଷଣି ସମସ୍ତେ କଂକ୍ରିଟ ଛାତ ଘରକୁ ଚାଲିଯିବେ । ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ଦ୍ଦିଷ୍ଟ ଆଶ୍ରୟ ସ୍ଥଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଆକ୍ରମଣର ପ୍ରଭାବ ସରିବା ପରେ ପ୍ରଶିକ୍ଷିତ ସିଭିଲ ଡିଫେନ୍ସର ସ୍ୱେଚ୍ଛାସେବୀ ସାଇରନ ବଜେଇ ସୂଚନା ଦେବେ । ଆକ୍ରମଣ ପ୍ରଭାବରେ ମୃତାହତ, ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ କରାଯିବ । ଏହାର ପ୍ରସ୍ତୁତିର ଆସନ୍ତାକାଲି ଆକଳନ କରାଯିବ ।"
font-size: 17px;">ସେ ଆହୁରି ମଧ୍ୟ କହିଛନ୍ତି, "ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ସିଭିଲ ଡିଫେନ୍ସ ଛଡା ଏନସିସି, ଏନଏସେସ, ସ୍ଥାନୀୟ କର୍ମଚାରୀ, ଆପଦା ମିତ୍ରଙ୍କୁ ସାମିଲ କରିବା ଲାଗି ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଆସନ୍ତାକାଲି ସୁଦ୍ଧା ରାଜ୍ୟ ଓ ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ହୋଇଯିବ । ଜେନେଭା ଚୁକ୍ତି ଅନୁସାରେ ଦୁଇଟି ଅନୁଷ୍ଠାନ ଉପରେ ଶତ୍ରୁ ଆକ୍ରମଣ କରିପାରିବ ନାହିଁ । ବେସାମରିକ ସୁରକ୍ଷା ଅର୍ଥାତ ସିଭିଲ ଡିଫେନ୍ସ ଓ ଅନ୍ୟଟି ରେଡକ୍ରସ । ଜିଲ୍ଲାପାଳ ମାନେ ସିଭିଲ ଡିଫେନ୍ସର ନିୟନ୍ତ୍ରକ ଭାବେ କାର୍ଯ୍ୟ କରନ୍ତି । ସୁରକ୍ଷା ସହ ଜନସାଧାରଣଙ୍କ ଲାଗି ଥିବା ସେବା ଖାଦ୍ୟ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ, ସ୍ଵାସ୍ଥ୍ୟ ସେବା ବେସାମରିକ ସୁରକ୍ଷା ଦ୍ୱାରା ନିୟନ୍ତ୍ରିତ ହେବ । ଏହାର ପ୍ରସ୍ତୁତି ବୈଠକ ଆସନ୍ତାକାଲି ହେବ । ବିଭିନ୍ନ ସେବାର ମୁଖ୍ୟ ମାନଙ୍କୁ ସିଭିଲ ଡିଫେନ୍ସର ୱାଡେନ ଭାବେ ଦାୟିତ୍ୱ ଦେବୁ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆମର ପରିଚୟ ରହିଛି । ଆମ ପାଖରେ ଯାହା ସମ୍ଭଳ ଅଛି, ତାହାକୁ ଆମେ ବ୍ୟବହାର କରିବୁ । ସେଥିପାଇଁ ଓଏସଡିଏମଏ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି ।
OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ର କହିଛନ୍ତି, "ଲୋକଙ୍କୁ ସଚେତନ କରିବା ଲାଗି ଆସନ୍ତାକାଲି ଅପରାହ୍ନ 4ଟାରେ ସିଭିଲ ଡିଫେନ୍ସ ମକ ଡ୍ରିଲ କରାଯାଉଛି । ସେଥିରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବିସ୍ତୃତ ଭାବେ ପ୍ରସ୍ତୁତି କରୁଛନ୍ତି । ରାଜ୍ୟର 12 ଜିଲ୍ଲାରେ ମକ ଡ୍ରିଲ ହେବ । ମକଡ୍ରିଲ ହେବାକୁ ଥିବା ଜିଲ୍ଲାରେ ଥିବା ଆଶ୍ରୟସ୍ଥଳୀରେ ମକଡ୍ରିଲର ବ୍ୟବସ୍ଥା ହୋଇଛି । ଟାସ୍କଫୋର୍ସର ସଦସ୍ୟ ମାନେ ମଧ୍ୟ ମକ ଡ୍ରିଲରେ ସାମିଲ ହେବେ । 480 କିମି ବେଳାଭୂମିରେ ଯେଉଁ ସାଇରନ ଲାଗିଛି ତାକୁ ବଜାଇବା ଲାଗି ବ୍ୟବସ୍ଥା ହେବ । ରାଜ୍ୟରେ ଥିବା 4 ହଜାର ଆପଦ ମିତ୍ର ସ୍ଵେଚ୍ଛାସେବୀ ମଧ୍ୟ ମକ ଡ୍ରିଲରେ ସାମିଲ ହେବେ । ରାଜ୍ୟ ଜରୁରୀକାଳୀନ ଓ ଜିଲ୍ଲା ଜରୁରୀ କାଳୀନ କେନ୍ଦ୍ର କାର୍ଯ୍ୟକ୍ଷମ ହେବ । ପ୍ରତି ବର୍ଷ ଆମେ ବିପର୍ଯ୍ୟୟ ପରିଚାଳନା ଲାଗି ମକ ଡ୍ରିଲ କରିଥାଉ । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ମକ ଡ୍ରିଲ ବାବଦରେ ଅବଗତ ଅଛନ୍ତି ।
ବୈଠକରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ରାଧାକୃଷ୍ଣ ଶର୍ମା, ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାଶ, ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା, ଗୃହ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ, ମକଡ୍ରିଲ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।