ଭୁବନେଶ୍ୱର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଛି । ଦେଶରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରି ଦେଇଛନ୍ତି । ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଚିଠି ଲେଖି ଜଣାଇଛନ୍ତି । ସେହିପ
ି ଆଇପିଏସଙ୍କ ଛୁଟି ବାତିଲ ହୋଇଥିବା ନେଇ ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀ ସୂଚନା ଦେଇଛନ୍ତି ।
ଜମ୍ମୁ କାଶ୍ମୀର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏନେଇ ଚିଠି ଲେଖି ଅବଗତ କରିଛନ୍ତି । ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଂପ୍ରତିକ ପରିସ୍ଥିତିରେ ସେମାନଙ୍କୁ ଆଉ ଛୁଟି ଦିଆଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅତିରିକ୍ତ ସଚିବ । ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ କୁହାଯାଇଛି ।
ରାଜ୍ୟର ସମସ୍ତ ଆଇପିଏସଙ୍କର ସମସ୍ତ ଛୁଟି ବାତିଲ କରାଯାଇଛି । ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ଆଇପିଏସଙ୍କ ଛୁଟି ବାତିଲ ନେଇ ପୋଲିସ ଡିଜିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଦେଶରେ ଯୁଦ୍ଧ ଭୁଳି ପରିସ୍ଥିତି ଉପୁଜିଛି । ତେଣୁ କୌଣସି ଆଇପିଏସଙ୍କୁ ଛୁଟି, ଟ୍ରେନିଂ ପାଇଁ ଛୁଟି, ଏଲଟିସି ଦିଆଯିବ ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । କୌଣସି ଆଇପିଏସ ପୋଲିସ ଡିଜି କିମ୍ବା ସ୍ୱତନ୍ତ୍ର ପୋଲିସ ଡିଜିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ଯିବେ ନାହିଁ । ସେହିପରି ରାଜ୍ୟର ସମସ୍ତ ଜରୁରୀ କାଳୀନ ସେବା ସହ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।