ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆଉ ଏକ ଅଘଟଣ । ଖାଇକୁ ଖସିଲା ସେନାକର୍ମୀଙ୍କ ଗାଡି । ରାସ୍ତାରୁ 200ରୁ 300 ଫୁଟ ଗଭୀର ଖାଇକୁ ଖସିପଡିବାରୁ 3 ଯବାନ ଶହୀଦ ହୋଇଛନ୍ତି । ରାମବନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ଜଣେ ଅଧିକାର
ୀ ସୂଚନା ଦେଇଛନ୍ତି ।
ପିଟିଆଇ ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ, ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ କନଭୟର ଅଂଶ ଥିଲା, ଜାତୀୟ ରାଜପଥ 44 ଦେଇ ଯାଉଥିବା ବେଳେ ସକାଳ 11ଟା 30 ମିନିଟରେ ରାମବନ ଜିଲ୍ଲାର ବ୍ୟାଟେରୀ ଚଷମା ନିକଟରେ ଖାଇକୁ ଟ୍ରକଟି ଖସିପଡିଥିଲା । ସଙ୍ଗେ ସଙ୍ଗେ ସେନା, ପୋଲିସ, ଏସଡିଆରଏଫ ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ତିନି ଜଣ ସୈନିକଙ୍କୁ ଘଟଣାସ୍ଥଳରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ।
ତିନି ଶଦୀଦ ଯବାନ ହେଉଛନ୍ତି ସିପାହୀ ଅମିତ କୁମାର, ସୁଜିତ କୁମାର ଏବଂ ମାନ ବାହାଦୁର ହୋଇଥିବା ଚିହ୍ନଟ କରାଯାଇଛି ।ସେମାନଙ୍କ ମୃତଦେହ ଘାଟିରୁ ଉଦ୍ଧାର କରାଯାଉଛି, ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣା ଯୋଗୁଁ ଗାଡ଼ିଟି ଖଣ୍ଡ ଖଣ୍ଡ ହୋଇଯାଇଛି । ପହଲଗାମ ଆକ୍ରମଣର 13 ଦିନ ପରେ ଏହି ଦୁର୍ଘଟଣା ଘଟିଛି ।
ଏପ୍ରିଲ 22 ତାରିଖରେ ଅନନ୍ତନାଗ ଜିଲ୍ଲାର ପହଲଗାମର ଉପର ମୁଣ୍ଡରେ ଅବସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବୈସାରଣରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କୀଙ୍କ ଗୁଳିରେ 26 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି । ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ ମଧ୍ୟ କରିଛି ଭାରତ । ଅନେକ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରିବା ସହ ଉତ୍ତେଜନା ପୂର୍ଣ୍ଣ ବୟାନ ଦେଉଥିବା ଏକ୍ସ ଆକାଉଣ୍ଟକୁ ମଧ୍ୟ ବ୍ୟାନ କରାଯାଉଛି । ଆଜି ପାକିସ୍ତାନର ଦୁଇ ପ୍ରମୁଖ ନେତା ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ୍ସ ଆକାଉଣ୍ଟଗୁଡ଼ିକୁ ଭାରତରେ ନିଷିଦ୍ଧ କରାଯାଇଛି ।