ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ 11 ଦିନରେ ଶେଷ ହୋଇଛି । ଧାର୍ଯ୍ୟ ହୋଇଥିବା ସମୟର 18ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି ଗୃହ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ, ବିଧାୟକଙ୍କ ଦରମା ବୃଦ୍ଧି ବିଲ ଓ ଅତିରିକ୍ତ ବଜେଟ ଶୀତକାଳୀନ ଅଧିବେଶନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ସର୍ବଦଳୀୟ ଅନୁମୋଦନକ୍ରମେ ବିଧାନସଭା
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନିଷ୍ପତ୍ତି ନିଆଯାଇଛି ।
ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଜି ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । 18 ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି ଶୀତକାଳୀନ ଅଧିବେଶନ । ସରକାରୀ କାର୍ଯ୍ୟକ୍ରମ ନଥିବାରୁ 11 ଦିନରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଶାସକ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ । ଶାସକ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ପ୍ରସ୍ତାବକୁ ସ୍ୱାଗତ କରିଥିଲେ ଶାସକ ଓ ବିରୋଧୀ ଦଳ ବିଧାୟକ । ଏହା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଶୀତ ଅଧିବେଶନରେ 29ଟି କାର୍ଯ୍ୟ ଦିବସ ହେବାର ଥିଲା । ମାତ୍ର 18 କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ବନ୍ଦ ହୋଇଛି ।
ନଭେମ୍ବର 27ରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା । ମୋଟ 29ଟି କାର୍ଯ୍ୟ ଦିବସ ଥିଲା । ଏ ବର୍ଷ ଶୀତ ଅଧିବେଶନ ଓଡ଼ିଶା ପାଇଁ ଇତିହାସ ହୋଇ ରହିବ । ଐତିହାସିକ ଶୀତ ଆଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହା ପରେ ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାରେ ଅଭିଭାଷଣ ରଖିଥିଲେ । ବିଧାୟକଙ୍କୁ ନୀତି, ନୈତିକତା ଏବଂ ଗୃହରେ ଶୃଙ୍ଖଳିତ ଆଚରଣର ପାଠ ପଢାଇଥିଲେ ରାଷ୍ଟ୍ରପତି । ବିଧାନସଭାର ଦ୍ୱିତୀୟ ଦିନରେ ଅର୍ଥାତ ନଭେମ୍ବର 28 ତାରିଖରେ 2025-26 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 17,740 କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଥିଲେ । ସେହିପରି ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା । ଏହା ସହ ଏହି ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବ ମଧ୍ୟ ଚଳିତ ଅଧିବେଶନରେ ମଞ୍ଜୁରୀ ହୋଇଛି ।