ଭୁବନେଶ୍ବର: 

>ବାର୍ଷିକ ଉଚ୍ଚ-ମାଧ୍ୟମିକ ବା ଯୁକ୍ତ ଦୁଇ (+2) ପରୀକ୍ଷା 2026 ଫେବୃଆରୀ 18ରୁ ଆରମ୍ଭ ହେବ । ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏନେଇ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education CHSE) ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି । ଏଥର ମୋଟ 4 ଲକ୍ଷ 7 ହଜାର 37 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ ଅପରାହ୍ନ 2ଟାରେ ଶେଷ ହେବ ।

ଚଳିତ ବର୍ଷ ରାଜ୍ୟର 30ଟି ଜିଲ୍ଲାରେ ମୋଟ 1350ଟି ପରୀକ୍ଷା କେନ୍ଦ୍ର କରାଯାଇଛି । 4,00,737 ଜଣ ଛାତ୍ରଛାତ୍ରୀ ଏ ବର୍ଷ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି, ଯାହା ପୂର୍ବବର୍ଷ ଠାରୁ ଯଥେଷ୍ଟ ଅଧିକ ରହିଛି । ଗତ ବର୍ଷ (2024)ରେ 3,91,809 ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ କଳା (Arts) 2,56,043 ଜଣ, ବିଜ୍ଞାନ (Science)ରେ 1,14,238 ଜଣ, ବାଣିଜ୍ୟ (Commerce)ରେ 24,533 ଜଣ ଏବଂ ଧନ୍ଦାମୂଳକ (Vocational) ବିଷୟରେ 5,923 ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିବେ ।

CHSE ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ କହିଛନ୍ତି, "ପ୍ରାକ୍ଟିକାଲ ପରୀକ୍ଷା ଆଗାମୀ ଜାନୁଆରୀ 2ରୁ ଆରମ୍ଭ ହୋଇ 15ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁସାରେ ଆରମ୍ଭ ହେବ । ପରୀକ୍ଷା ପରିଚାଳନା କରିବାକୁ ଏଥର ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟର 210ଟି ହବ୍‌ରେ AI କ୍ୟାମେରା ପରୀକ୍ଷା ପରିଚାଳନା ଉପରେ ନଜର ରଖିବ ଏବଂ ପରୀକ୍ଷା ପ୍ରକ୍ରିୟାକୁ ସତର୍କ ଭାବରେ ନିରୀକ୍ଷଣ କରିବ । 

0 Comments