ରୋଗର ଯନ୍ତ୍ରଣାକୁ ସେ ଅତି ନିକଟରୁ ଦେଖିଛନ୍ତି । ବିଶେଷ କରି କ୍ୟାନ୍ସର ପରି ଦୂରାରୋଗ୍ୟ ବ୍ୟାଧିକୁ । ରୋଗ ସହ ଲଢି ସେ ଅନେକ ରୋଗୀଙ୍କୁ ରୋଗମୁକ୍ତ କରିଛନ୍ତି । ଜଣେ ଡାକ୍ତର ଭାବେ ସେ ଅନୁଭବ କରିଛନ୍ତି, ଅର୍ଥାଭାବ ରୋଗୀକୁ କେତେ ଅସହାୟ କରିଦିଏ । ଜୀବନକାଳ ମଧ୍ୟରେ ଅନେକ ରୋଗୀଙ୍କ ଯନ୍ତ୍ରଣାକୁ ଆଖି ଆଗରେ ଦେଖିଛନ୍ତି, ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି, ବ୍ୟଥିତ ହୋଇଛନ୍ତି । ସେଥିପାଇଁ ଜୀବନର ସାୟାହ୍ନରେ ସଞ୍ଚିତ ପୁଞ୍ଜିକୁ ସେଇ ଅସହାୟ ରୋଗୀଙ୍କ ପାଇଁ ସମର୍ପି ଦେବାର ନିଷ୍ପତ୍ତି ନେଇଛନ୍ତି ଶତାୟୁ ମହିଳା ତଥା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରଥମ ଛାତ୍ରୀ ଡାକ୍ତର ଲକ୍ଷ୍ମୀ ବାଈ । ଡିସେମ୍ବର 5 ତାରିଖରେ ତାଙ୍କର 100ତମ ଜନ୍ମଦିନ ଅବସରରେ ସେ ରଖିଥିବା 3କୋଟି 40 ଲକ୍ଷ ଟଙ୍କା ଭୁବନେଶ୍ୱର AIMSକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ଅର୍ଥରେ ମହିଳା କର୍କଟ ରୋଗୀଙ୍କ ନିମନ୍ତେ ଏକ ଚିକିତ୍ସା ଓ ଯତ୍ନ କେନ୍ଦ୍ର ଖୋଲିବାର ସ୍ବପ୍ନ ରଖିଛନ୍ତି ।

ପ୍ରଫେସର ଡାକ୍ତର ଲକ୍ଷ୍ମୀ ବାଈ । ଦିନ କେଇଟା ପରେ ପାଳିବେ 100 ତମ ଜନ୍ମଦିନ । ଜଣେ ସୁନାମଧନ୍ୟା ଡାକ୍ତର, ଦରଦୀ ମହିଳା ଆଉ ସମାଜସେବୀ । ଡାକ୍ତର ଲକ୍ଷ୍ମୀ ବାଈଙ୍କର କୌଣସି ସନ୍ତାନ ସନ୍ତତି ନାହାଁନ୍ତି । ତାଙ୍କ ପୁତୁରାଙ୍କୁ ପୁଅ କରିଥିଲେ ଡାକ୍ତର ଲକ୍ଷ୍ମୀ ବାଈ । ସେ ଏବେ ଆମେରିକାରେ ରହୁଛନ୍ତି । ସ୍ୱାମୀଙ୍କ ବିୟୋଗ ପରେ ଲକ୍ଷ୍ମୀ ବାଈ ଏକାକୀ ବ୍ରହ୍ମପୁର ସହରର ଭାବାନଗର ସ୍ଥିତ ଘରେ ରହୁଥିଲେ । ତାଙ୍କର ଏହି ନିଷ୍ପତ୍ତି ଜାଣିବା ପରେ ପୁତୁରା ଆମେରିକାରୁ ଆସୁଛନ୍ତି । ତାଙ୍କ ଉପସ୍ଥିତିରେ ସେ ଏହି ଟଙ୍କା AIMSକୁ ପ୍ରଦାନ କରିବେ ।

ଲକ୍ଷ୍ମୀବାଈଙ୍କ ଘର ପାଖରେ ରହୁଥିବା ତାଙ୍କର ଛାତ୍ରୀ ଡାକ୍ତର ପି.ଭାରତୀ କହିଛନ୍ତି, 1926 ଡିସେମ୍ବର 5 ତାରିଖରେ ବ୍ରହ୍ମପୁରରେ ଡାକ୍ତର ଲକ୍ଷ୍ମୀ ବାଈଙ୍କର ଜନ୍ମ । ବ୍ରହ୍ମପୁର ସିଟି ହାଇସ୍କୁଲରେ ସ୍କୁଲ ଶିକ୍ଷା ଶେଷ ପରେ ସେ କାକିନାଡାରେ ଇଣ୍ଟର ମିଡିଏଟ କରିଥିଲେ । ପରେ କଟକ ଏସସିବିରେ ଏମବିବିଏସ କରି 1950ରେ ପାସ କରିଥିଲେ । ୧୯୫୮ରେ ମାଡ୍ରାସ ମେଡିକାଲ କଲେଜରେ ଡିଜିଓ ଆଣ୍ଡ୍ ଏମ୍‌ଡି ଇନ୍ ‘ଓ ଏଣ୍ଡ ଜି' କରିରିଥିଲା । ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍‌ପିଟାଲରୁ ଚାକରୀ ଜୀବନ ଆରମ୍ଭ । ଡାକ୍ତରୀରେ ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ମଧ୍ୟ ଯାଇଥିଲେ । ଶେଷରେ ୧୯୮୬ରେ ଏମ୍‌

କେସିଜିରେ ଅବସର ନେଇଥିଲେ । ଜୀବନବ୍ୟାପୀ ଜଣେ ପ୍ରତିଷ୍ଠିତ ଡାକ୍ତର ଭାବେ ନିଷ୍ଠାର ସହ ସେବା ଯୋଗାଇ ଆସିଛନ୍ତି ।

ପ୍ରଫେସର ଡାକ୍ତର ଲକ୍ଷ୍ମୀ ବାଈ ରାଜ୍ୟରେ ପ୍ରଥମ ବିଶେଷଜ୍ଞ ଡାକ୍ତର ଭାବେ ଆଧୁନିକ ଚିକିତ୍ସା ପଦ୍ଧତିରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ସେ ସେହିସମୟରେ ବ୍ରିଟେନ ଗସ୍ତ କରି ଆଧୁନିକ ଚିକିତ୍ସା ପଦ୍ଧତିରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସମ୍ପର୍କରେ ଅଧ୍ୟୟନ କରିବା ସହିତ ରାଜ୍ୟରେ ସଫଳତାର ସହିତ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ଏହି ସଫଳତା ପାଇଁ ତାଙ୍କୁ ଓଡିଶା ଗସ୍ତ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁରୁ ସମ୍ମାନିତ କରିଥିଲେ ।

0 Comments