;ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ । ଡ୍ରାମା ବିଭାଗର ଅଧ୍ୟାପକ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣି କ୍ୟାମ୍ପସ ପରିସରରେ ହଙ୍ଗାମା । ସଂସ୍କୃତି ବିଭାଗ ବିଶେଷ ସଚିବ ଦେବ ପ୍ରସାଦ ଦାସଙ୍କ ସମେତ ୩ ଜଣିଆ ଟିମର ଆଲୋଚନା ପରେ ଶେଷରେ ଡ୍ରାମା ବିଭାଗର ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ବିଜୟ ଜେନା । କିଛି ଘଣ୍ଟା ପରେ ଅଭିଯୁକ୍ତ ଅତିଥି ଅଧ୍ୟାପକକୁ ଗିରଫ କରିଛି ପୋଲିସ ।
ଡ୍ରାମା ବିଭାଗର ଅଧ୍ୟାପକ ଛାତ୍ରୀଙ୍କୁ ଖରାପ, ଅଶାଳୀନ ଇଙ୍ଗିତ କରୁଥିବା ଅଭିଯୋଗ ଆଣି ଛାତ୍ରଛାତ୍ରୀ କ୍ୟାମ୍ପସରେ ହୋହଲ୍ଲା କରୁଥିଲେ । ରାଜରାସ୍ତାକୁ ଓହ୍ଲାଇ ଶିକ୍ଷକଙ୍କ ନିଲମ୍ବନ ଓ ଗିରଫଦାରୀ ଦାବି କରିଥିଲେ ଛାତ୍ରଛାତ୍ରୀ । ଏନେଇ ସୂଚନା ପାଇବା ପରେ କଲେଜ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିଥିଲେ ।
ସେପଟେ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିବା ପରେ ଏନେଇ ତତ୍ପରତା ଦେଖାଇଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ବିଭାଗର ବିଶେଷ ସଚିବ ଦେବ ପ୍ରସାଦ ଦାସଙ୍କ ସମେତ ୩ ଜଣିଆ ଟିମ ଆସି କଲେଜରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଡ୍ରାମା ବିଭାଗର ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଅଧ୍ୟାପକଙ୍କ ଅଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଛାତ୍ରୀ ମାନଙ୍କ ସହ ଅଶ୍ଲିଳ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଛି ।