କେନ୍ଦୁଝର :- ଦିନକୁ ଦିନ ସାରା ଦେଶରେ ଅନ୍ୟ ଅପରାଧ ଠାରୁ ଅଧିକ ସାଇବର କ୍ରାଇମ ବୃଦ୍ଧି ପାଉଛି। ଏହି ସାଇବର କ୍ରାଇମ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏଥିପାଇଁ ସରକାର ସ୍ଵତନ୍ତ୍ର ଆଇନ ପ୍ରଣୟନ କରୁଛନ୍ତି। କିନ୍ତୁ ସାଇବର ଅପରାଧି ମାନେ ଦିନକୁ ଦିନ ନୂତନ ଉପାୟରେ ଲୋକଙ୍କୁ ଠକିବାକୁ ଲାଗିଛନ୍ତି। ଏଥିପାଇଁ ସରକାର ଲୋକଙ୍କୁ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଗତ ମାସ ୧୮ ତାରିଖରୁ ରାଜ୍ୟ ସରକାର ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଦ୍ଵାରା ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଅନୁଷ୍ଠାନ, ସାଧାରଣ ସ୍ଥାନ ମାନଙ୍କରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ବିଶେଷ କରି ଯୁବ ବର୍ଗ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ବକ୍ତୃତା ପ୍ରତିଯୋଗିତା, ସାଇକେଲ ଶୋଭାଯାତ୍ରା ଆଦି ଆୟୋଜିତ ହୋଇଥିଲା। ଏହି ଅଭିଯାନ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଜିଲ୍ଲା ପୋଲିସ ଦ୍ବାରା ଆୟୋଯିତ ହୋଇଥଲା। କେନ୍ଦୁଝର ଜିଲ୍ଲା ପୋଲିସ ଦ୍ବାରା ଆନନ୍ଦପୁର, ସଦର, ଚମ୍ପୁଆ ଉପଖଣ୍ଡରେ ବିଭିନ୍ନ ପ୍ରକାରର ସଚେତନତା ଅଭିଯାନ କରାଯାଇଥିଲା। ଆଜି ଏହି ସାଇବର ସୁରକ୍ଷା ଅଭିଯାନର ଶେଷ ଦିନ। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ସେଲ ଅଡିଟୋରିୟମ ଠାରେ ଏକ ସ୍ବତନ୍ତ୍ର ଉତ୍ସବ ପାଳିତ ହୋଇଛି। ଏଥିରେ ଉତ୍ତରାଞ୍ଚଳ ଆଇ ଜି ବ୍ରିଜେଶ ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଜିଲ୍ଲାପାଳ ବିଶାଳ ସିଂ, ଡି ଏଫ ଓ ଏଚ ଡି ଧନରାଜ , କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ଏସପି ନିତିନ କୁଶଳକର ଦଗଡୁ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଆ ସିନେମା ଜଗତର ନାଇକା ଏଲିନା ସାମନ୍ତରାୟ।
ଆଜିର ଏହି ସାଇବର ସୁରକ୍ଷା ଅଭିଯାନ
ଶେଷ ଦିବସ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ପୋଲିସ ନୂତନ ଭାବେ ଏକ ନୂଆ ପ୍ରୟାସ ଆରମ୍ଭ କରିଛି ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ। ମହିଳା ମାନେ କାର୍ଯ୍ୟ କ୍ଷେତ୍ର ହେଉକି ରାସ୍ତା ଘାଟ, ଘରୋଇ ହିଂସା ସମ୍ମୁଖୀନ ହେଉଛନ୍ତି। ଏହି ସବୁକୁ ରୋକିବା ପାଇଁ ସ୍ବତନ୍ତ୍ର ଫୋନ୍ ନମ୍ବର ଜିଲ୍ଲା ପୋଲିସ ପକ୍ଷରୁ ଜାରି କରାଯାଇଛି । ଏହାଦ୍ବାରା ମହିଳାମାନେ ଜିଲ୍ଲାର ଯେଉଁଠି ବି ଥିଲେ ଅସୁରକ୍ଷିତ ମଣୁଥିଲେ ସଙ୍ଗେ ସଙ୍ଗେ ଜିଲ୍ଲା ପୋଲିସର ସହାୟତା ପାଇ ପାରିବେ। ଏହି ବ୍ୟବସ୍ଥା ରାଜ୍ୟରେ ପ୍ରଥମ ଥର ଭାବେ କେନ୍ଦୁଝର ଜିଲ୍ଲା ପୋଲିସ ଦ୍ବାରା ଆରମ୍ଭ କରାଯାଇଛି। ଏହା ସହ ଜିଲ୍ଲାବାସୀଙ୍କୁ ତ୍ୱରିତ ପୋଲିସ ସହାୟତା ପାଇଁ ସୁରକ୍ଷା ବିଟ୍, ସେବା ଡ୍ୟୁଟି ଓ ଅନୁସନ୍ଧାନ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି।
ସାଇବର ସୁରକ୍ଷା ଅଭିଯାନ ଆଜି କେନ୍ଦୁଝର ଜିଲ୍ଲାରେ ସଫଳତା ସହ ଶେଷ ହୋଇଛି। ଏଥିରେ ଲକ୍ଷାଧିକ ଲୋକ ସାମିଲ ହୋଇ ସଚେତନ ହୋଇଛନ୍ତି।ଏହି ପ୍ରୋଜେକ୍ଟ ରାକ୍ଷୀ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ୟରେ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ଅନ୍ୟ ତିନୋଟି ପୋର୍ଟାଲ ସେବା କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ନିଆରା ପଦକ୍ଷେପ ବୋଲି ଆଇଜି ବ୍ରଜେଶ ରାଏ ପ୍ରକାଶ କରିଥିଲେ।
ସେହିପରି ଏହି ପ୍ରୋଜେକ୍ଟ ରାକ୍ଷୀକୁ ପ୍ରଶଂସା କରିଥିବା ବେଳେ ଜିଲ୍ଲା ପୋଲିସର ଏକ ଅଙ୍ଗ ଭାବେ କାର୍ଯ୍ୟ କରିବା ସହ ସାଇବର ସୁରକ୍ଷା ନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବେ ବୋଲି ପ୍ରକାଶ କରିଛନ୍ତି ନାୟିକା ଏଲିନା ସାମନ୍ତରାୟ।
ଉକ୍ତ ସାଇବର ସୁରକ୍ଷା ଅଭିଯାନ ଶେଷ ଦିନରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ, ସମାଜସେବୀ ଯୋଗଦେଇଥିଲେ। ଜିଲ୍ଲା ପୋଲିସର ଏଭଳି ନିଆରା ପଦକ୍ଷେପ କୁ ସମସ୍ତେ ପ୍ରଶଂସା କରିଛନ୍ତି।