ପାଟଣା ( ତପନ ବେହେରା) କେନ୍ଦୁଝର ଜିଲ୍ଲାବାସୀଙ୍କ ବହୁ ଦିନର ଦାବୀ ସାର୍ଥକ ହେବା ନେଇ ଆଜି ପାଦେ ଆଗେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନାର କେନ୍ଦୁଝର ଗଢ଼ିବା ପାଇଁ ପାଟଣା ଠାରେ ମେଗା ଷ୍ଟିଲ ପ୍ରକଳ୍ପ ଆବଶ୍ୟକ ଓ ସେଥିପାଇଁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଗତ ମାସ କେନ୍ଦୁଝର ଗ୍ରସ୍ତ ସମୟରେ ଡିସେମ୍ବର ମାସରେ ପ୍ରଥମ ଗ୍ରାମସଭା ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ପରେ କେନ୍ଦୁଝର ଜିଲ୍ଲାବାସୀଙ୍କ ଆଶା ସଞ୍ଚାର ହୋଇଥିଲା।
ଏହି ଘୋଷଣା ପରେ ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପାଟଣା ବ୍ଲକ୍ ଚେମଣା ପଞ୍ଚାୟତ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ପାଟଣା ତହସିଲ ଯମୁନାପୋଷି ଓ ଚେମେଣା ଆର୍ଆଇ ସର୍କଲର ୧୨ଟି ମୌଜାରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଶୁକ୍ରବାର ପ୍ରଥମ ଗ୍ରାମସଭା ଚେମେଣା ପଞ୍ଚାୟତ ଭୃଙ୍ଗରାଜପୋଷି ଗାଁ ପୋଷି ଖମାର ପଡ଼ିଆରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଛ।
ଆୟୋଜିତ ଗ୍ରାମସଭା ସ୍ଥାନୀୟ ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟମନୋଜ କୁମାର ମହାନ୍ତ, ପାଟଣା ତହସିଲ ଦାର ଅଶିନୀକୁମାର ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ ଜୟ କୃଷ୍ଣ ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ। ଆଜିର ଗ୍ରାମସଭାରେ ଉକ୍ତ ମୌଜାର ୨୯ ଏକର ୬୧ ଡିସିମିଲ ଜମି ପାଇଁ ଶୁଣାଣି ହୋଇଥିଲା।
ଶତାଧିକ ଗ୍ରାମବାସୀ ଗ୍ରାମସଭାରେ ଯୋଗ ଦେଇଥିବା ବେଳେ ୬ ଜଣ ଗ୍ରାମବାସୀ ମାତ୍ର ନିଜର ଦାବି ଉପସ୍ଥାପନ କରିଥିଲେ।
ଲୋକଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଡେସିମିଲି ପିଛା ୧୦ଲକ୍ଷ ଟଙ୍କା(ଏକର ପ୍ରତି ୧୦କୋଟି) ବିଧବା ବୃଦ୍ଧା, ଦିବ୍ୟାଙ୍ଗଙ୍କ ପାଇଁ ମାସିକ ୩୦ ହଜାର ଭତ୍ତା, ପ୍ରତ୍ୟେକ ୧୮ରୁ ୪୫ବର୍ଷର ବ୍ୟକ୍ତିଙ୍କୁ ସ୍ଥାୟ
ୀ ନିଯୁକ୍ତି, ଜମି ହାରାଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ କମ୍ପାନୀ ସ୍କୁଲରେ ମାଗଣା ଶିକ୍ଷାଦାନ ତାଲିମ ଓ କମ୍ପାନୀରେ ନିଯୁକ୍ତି, ଜମି ହରାଉଥିବା ଦିନଠାରୁ ନିଯୁକ୍ତି ପର୍ଯ୍ୟନ୍ତ ମାସକୁ ୩୦ ହଜାର ଲେଖାଏ ମାସିକ ଭରଣପୋଷଣ ପ୍ରଦାନ ଆଦି ୩୩ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା।
ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଆମର ଦାବି ରହିଥିଲା। ସରକାର ଲୋକଙ୍କ ସମସ୍ତ ଦାବୀ ପୂରଣ କରିବା ଦରକାର ଏଥିପାଇଁ ସମସ୍ତ ଗ୍ରାମବାସୀ ସମର୍ଥନ ଜଣାଇଥିବା ପ୍ରକାଶ କରିଛନ୍ତି ଚେମଣା ସମିତି ସଭ୍ୟ ମନୋଜ ମହାନ୍ତ।
ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ପୂରଣ ହେବା ନେଇ ଆମେ ଖୁବ୍ ଆଶାବାଦୀ।ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ଦୂର ହେବ। ଲୋକଙ୍କ ସମସ୍ତ ଯଥାଚିତ ଦାବୀ ପୂରଣ ହେଉ। ଏନେଇ ପଞ୍ଚାୟତବାସୀଙ୍କ ସମର୍ଥନ ରହିଛି ବୋଲି ପ୍ରକାଶ କରିଛନ୍ତି ଚେମଣା ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ନାୟକ।
ଭୃଙ୍ଗରାଜପଶୀରେ ମୌଜାର ୨୯ ଏକର ୬୧ ଡିସିମିଲ ଜମି ପାଇଁ ଶୁଣାଣି ହୋଇଥିଲା। ଏଠାରେ ଲୋକଙ୍କ ଅକୁଣ୍ଠ ସମର୍ଥନ ରହିଥିଲା। ସ୍ବତନ୍ତ୍ର ଭୂ-ଅର୍ଜନଅଧିକାରୀ ଉପସ୍ଥିତ ଲୋକ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, କାହାରି ଘର ଭାଙ୍ଗିବ ନାହିଁ କେହି ବିସ୍ଥାପିତ ହେବେ ନାହିଁ।ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପ ପାଇଁ ପ୍ରଥମ ଗ୍ରାମସଭା ସଫଳ ହୋଇଥିବା ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ।
ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଶାନ୍ତିଶୃଙ୍ଖଳା ସହ ଗ୍ରାମ ସଭା ସମ୍ପନ୍ନ ହୋଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଅତିରିକ୍ତ ୩ ଏସ୍ପି, ୪ଏସ୍ଡିପିଓ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ଚମ୍ପୁଆ ଏସ୍ଡିପିଓ ରଶ୍ମୀରଞ୍ଜନ ସାହୁ, ତୁରୁମୁଙ୍ଗା ଥାନା ଅଧିକାରୀ ଦିପ୍ତୀରଞ୍ଜନ ସାହୁ, ସହକାରୀ ଯନ୍ତ୍ରୀ ସୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।