ଭୁବନେଶ୍ୱର: ଓଡିଶା ମେଡିକାଲ ସେବା ସଂଘ (ଓମସା) ଡାକ୍ତରମାନେ ଦେଲେ ଚେତାବନୀ । ଯଦି ଦାବି ପୁରାଣ ନହୁଏ ତେବେ ଆଗାମୀ ଦିନରେ ହେବ ସଂଘାତିକ ପ୍ରତିବାଦ । ବର୍ତ୍ତମାନ ଓମସା ଡାକ୍ତରମାନେ ଦିନକୁ ଏକ ଘଂଟା ଓପିଡି ବନ୍ଦ କରୁଥିବା ବେଳେ ଜାନୁଆରୀ ୫ ତାରିଖ ଠାରୁ ଦିନକୁ ଦୁଇ ଘଣ୍ଟା (ସକାଳ 9ଟାରୁ ଦିନ
1ଟା) ବନ୍ଦ ରଖିବେ ଓପିଡି । କେବଳ ସେତିକି ନୁହେଁ ବିଭାଗୀୟ ଅଧିକାରୀ କିମ୍ବା ମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ଆଲୋଚନା କରିନଥିବାରୁ ସମୁହିକ ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କରିଛି ଓମସା ।
ଓମସା ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି, "ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କରିଛି ଓମସା । ନୂଆ ବର୍ଷ ପରେ ଓମସା ଡାକ୍ତରମାନେ ସମୂହ ଇସ୍ତଫା ପତ୍ର ଓମସା ପାଖରେ ଦଖଲ କରିବେ । ଓମସା ଏହି ଇସ୍ତଫାପତ୍ର ସରକାରଙ୍କ ପାଖକୁ ପଠାଇବେ । ସରକାର ଏ ଯାଏଁ ଡାକ୍ତରଙ୍କ ଦାବି ଉପରେ ଆଲୋଚନା କରି ନଥିବାରୁ ଆଉ ସରକାରୀ ଚାକିରୀରେ ରହିବେନି ଡାକ୍ତର । ଜାନୁଆରୀ ୫ ଯାଏଁ ଡେଡଲାଇନ ଦେଇଛି ଓମସା । ବର୍ତମାନ ସକାଳ ୧୦ ରୁ ୧୧ ପର୍ଯ୍ୟନ୍ତ ବନ୍ଦ ରହୁଛି OPD । ଆସନ୍ତା ଜାନୁଆରୀ ୫ ରୁ ସକାଳ ୯ ରୁ ୧୧ ଯାଏଁ ଦୁଇ ଘଣ୍ଟା ଧରି ବନ୍ଦ କରାଯିବ OPD ।"
ଡାକ୍ତରମାନଙ୍କ ଦାବି ମଧ୍ୟରେ ରହିଛି ବିନା ସର୍ତ୍ତାବଳୀରେ କେନ୍ଦ୍ରୀୟ ହାରରେ DACP ପ୍ରଦାନ, ଓଡିଶା ସରକାରଙ୍କର ଅନ୍ୟ ପ୍ରଥମ ଶ୍ରେଣୀ କନିଷ୍ଟ ବର୍ଗଙ୍କ ଭଳି PAY STRUCTURE ଏବଂ DACPରେ ଦରମା ନିର୍ଦ୍ଧାରଣ ବେଳେ LEVEL ୧୫କୁ ବାଦ ଦିଆଯାଉ, OMHS ଓ ଦନ୍ତ ଚିକିତ୍ସକଙ୍କର କ୍ୟାଡର ପୁନର୍ବିଚାର କରାଯାଉ, KBK ଅଞ୍ଚଳରେ ୫ ବର୍ଷରୁ ଅଧିକ ଚାକିରୀ କରିଥିବା ଡାକ୍ତରଙ୍କୁ ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଣିବା ପାଇଁ ନିଶ୍ଚିତ କରାଯାଉ, ପୋଷ୍ଟ ମୋର୍ଟମ ଭତ୍ତା ବୃଦ୍ଧି କରାଯାଉ, ଅଗ୍ରାଧିକାର ଭିତ୍ତିରେ ଡାକ୍ତରୀ ଖାଲି ପଦବୀ ପୂରଣ କରାଯାଉ । ଏହା ସହିତ ପ୍ରତିବର୍ଷ ବିଭାଗୀୟ ପଦୋନ୍ନତି କମିଟି ବସାଇ ପଦୋନ୍ନତି ଦିଆଯାଉ, କାର୍ଯ୍ୟରତ ଡାକ୍ତରଙ୍କୁ କଡା ସୁରକ୍ଷା ଦିଆଯାଉ, ସଙ୍କଟପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ଦିଆଯାଉ, ସବୁ ଡାକ୍ତରଖାନାରେ ଡାକ୍ତରମାନଙ୍କ ପାଇଁ ବାସଗୃହ ନିର୍ମାଣ କରାଯାଉ, ADHOC ଡାକ୍ତରମାନଙ୍କୁ ନିୟମିତ କରାଯାଉ ଓ ତାଙ୍କର ଚାକିରି କାଳକୁ DACPରେ ଗଣନା କରାଯାଉ ଭଳି ଅନେକ ଦାବି ରଖିଛି ସଂଘ ।