ଭୁବନେଶ୍ବର: ରାଜଧାନୀରେ ଆଜି କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ଦେଇଛି ବର୍ଷା । କାରଣ ମୋସୁମୀ ବାୟୁ ଉତ୍ତର ସୀମା ଦେଇ ମୁମ୍ବାଇ, ଅହିଲ୍ୟାନଗର, ଆଦିଲାବାଦ, ଭବାନୀପାଟନା, ପୁରୀ, ସ୍ୟାଣ୍ଡହେଡ୍ ଦ୍ବୀପ, ବାଲୁରଘାଟ, ଦେଇ ଗତି କରୁଛି। ଫଳରେ ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ଆଗାମୀ ତିନି ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।
ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ଯୋଗୁଁ ଉତ୍ତର ଓଡ଼ିଶା ଏବଂ ଆଖପାଖ ଅଞ୍ଚଳ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ପବନ ସହ ବିଜୁଳି ଘଡଘଡିର ଚେତାବନୀ ଆସନ୍ତା ୧୩ ତାରିଖ ଯାଏଁ ରହିଛି ।
ରାଜ୍ୟରେ ମୋସୁମୀ ଜନିତ ବର୍ଷା ଆଗକୁ ଲାଗି ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । କାରଣ ରାଜ୍ୟରେ ପ୍ରବାହିତ ହେଉଥିବା ମୋସୁମୀ ବାୟୁ ପ୍ରଭାବରେ ଆସନ୍ତା ୧୪ରୁ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦେଶକ ସୁଚନା ଦେଇଛନ୍ତି। ଆଗାମୀ ସାତ ଦିନ ପାଇଁ ବର୍ଷା ରହିଥିବା ବେଳେ ୧୩ ଯାଏଁ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ହେବ । ହେଲେ ୧୪ରୁ ରାଜ୍ୟର ସମସ୍ତ ଅଞ୍ଚଳକୁ ବର୍ଷା ଛୁଇଁବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।
ଆଗାମୀ 7 ଦିନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିବ। ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଲାଗି ରହିବ । ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ଝଟକା ପବନ ମଧ୍ୟ ବହିବ । ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟର ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ଝଟକା ପବନ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ସହିତ ଅନ୍ୟ ବାକି ଜିଲ୍ଲା ମାନଙ୍କରେ ମଧ୍ୟ ବଜ୍ରପାତ ଜନିତ ବର୍ଷା ମଧ୍ୟ ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ 13 ତାରିଖ ଯାଏଁ ଏଭଳି ପାଗ ରହିବ।
>ଆଜି ଓଡ଼ିଶାର ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନ ମଧ୍ୟ ପ୍ରତି ଘଣ୍ଟାବେଗ 30-40 କିଲୋମିଟର ବେଗରେ ହେବାର ସମ୍ଭାବନା ରହିଛି। ସେହିପରି ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଏବଂ ଆର୍ଦ୍ର ଅବସ୍ଥା ହେବାର ସମ୍ଭାବନା ରହିଛି।