ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ପ୍ରେସମିଟ୍ରେ ଭାରତୀୟ ନିର୍ବାଚନ କମିଶନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।
ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ ୨୦ରେ ୨ୟ ପର୍ଯ୍ୟାୟ, ମେ ୨୫ରେ ୩ୟ ଓ ଜୁନ ୧ ତାରିଖରେ ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଓଡ଼ିଶାରେ ଜୁନ ୪ ତାରିଖରେ ହେବ ଭୋଟ ଗଣତି । ଏଥି ସହିତ ଜୁନ ୪ରେ ଉଭୟ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ଆଜି ଓଡ଼ିଶାର ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏଥର ନିର୍ବାଚନରେ ଓଡିଶାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥର ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟର ଅଧିକ ଯୋଡି ହୋଇଛନ୍ତି। ଓଡ଼ିଶାର
ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦।
ଅନ୍ୟପଟେ ଦେଶର ମୋଟ ୫୪୩ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟ ଭୋଟି ଏପ୍ରିଲ ୧୯ରୁ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭, ୪ର୍ଥ ପର୍ଯ୍ୟାୟ ଭୋଟ ମେ’ ୧୩, ୫ମ ପର୍ଯ୍ୟାୟ ଭୋଟ ୨୦, ୬ଷ୍ଠ ପର୍ଯ୍ୟାୟ ଭୋଟ ମେ’ ୨୫ ଓ ଶେଷ ତଥା ୭ମ ପର୍ଯ୍ୟାୟ ଭୋଟ ଜୁନ ୧ରେ ଅନୁଷ୍ଠିତ।
ଚଳିତ ନିର୍ବାଚନରେ ଦେଶର ପ୍ରାୟ ୯୭ କୋଟି ପଞ୍ଜୀକୃତ ଭୋଟର ଇଭିଏମ ଦବାଇ ପରବର୍ତ୍ତୀ ସରକାର ଗଠନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୦.୫ ଲକ୍ଷ ଅଧିକ ବୁଥ ନିର୍ବାଚନ କମିଶନ ପକ୍ଷରୁ ସମଗ୍ର ଦେଶରେ ତିଆରି କରାଯିବ। ନିର୍ବାଚନକୁ ସୂଚାରରୂପେ ଶେଷ କରିବା ପାଇଁ ୧.୫ କୋଟି ପୁଲିଂ ଅଫିସର ନିଯୁକ୍ତ ହେବେ। ୫୫ ଲକ୍ଷ ଇଭିଏମ ଦ୍ୱାରା ଲୋକଙ୍କ ମତାଧିକାର ଗ୍ରହଣ କରାଯିବ।