ପୁରୀ: ନୌସେନା ଦିବସରେ 15 ଯୁଦ୍ଧ ଜାହାଜ ଓ 40 ଏୟାରକ୍ରାଫ୍ଟ ଯୁଦ୍ଧକଳା କୌଶଳ ପ୍ରଦର୍ଶନ କରିବେ । ସ୍ଥଳ, ଜଳ ଏବଂ ଆକାଶ ମାର୍ଗରେ କିଭଳି ନୌସେନା ଶତ୍ରୁଙ୍କୁ ଆକ୍ରମଣ କରିବ ତାହାର ଝଲକ ଦେଖାଇବ ନୌସେନା । ଆସନ୍ତା ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି(ରବିବାର) ଏବଂ ଆସନ୍ତାକାଲି(ସୋମବାର) ଦୁଇଦିନ ଧରି ଏହି କାର୍ଯ୍ୟକ୍ରମର ଫୁଲ୍ ଡ୍ରେସ ରିହରସଲ ଥିବାବେଳେ ଡିସେମ୍ବର ୪ ଦିନ ଚୁଡାନ୍ତ ପ୍ରଦର୍ଶନୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ କରାଯିବ । ଏନେଇ ଆଜି ନୌସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏନଏସ (INS) ଚିଲିକାର ଇନଚାର୍ଜ ଦିପକ ଅନିଲ କହିଛନ୍ତି, ‘ନୌସେନା ଦିବସର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ୧୫ଟି ଯୁଦ୍ଧ ଜାହାଜ ସହ ୪୦ଟି ଏୟାରକ୍ରାଫ୍ଟ ଏହି ଯୁଦ୍ଧ ରଣ କୌଶଳ ପ୍ରଦର୍ଶନରେ ସାମିଲ୍ ହେବେ । ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଏହି କାର୍ଯ୍ୟକ୍ରମର ଫୁଲ୍ ଡ୍ରେସ ରିହରସଲ ଥିବାବେଳେ ୪ ତାରିଖ ଦିନ ଚୁଡାନ୍ତ ପ୍ରଦର୍ଶନୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ କରାଯିବ ।’
ନୌସେନାର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ରାଜଭବନରୁ ବ୍ଲୁ ଫ୍ଲାଗ ବିଚରେ ହୋଇଥିବା ସ୍ବତନ୍ତ୍ର ମଞ୍ଚ ଉପରକୁ ୩ଟା ୫୫ ମିନିଟରେ ପହଞ୍ଚିବେ । ସେଠାରେ ନୌସେନା ପକ୍ଷରୁ ସେରିମନିଆଲ ଗାର୍ଡ ପ୍ରଦାନ କରାଯିବା ସହିତ ଜାତୀୟ ସଂଗୀତ ପରିବେଷଣ କରାଯିବ । ସମୟ ୪ଟା ୭ରେ ନୌସେନା ପକ୍ଷରୁ ବିଭିନ୍ନ ଯୁଦ୍ଧକଳା କୌଶଳ ପ୍ରଦର୍ଶନ କରାଯିବ । ୫ଟା ୨୫ରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବେ ।
ତେବେ ୫ଟା ୨୫ରୁ ନୌସେନା ପକ୍ଷରୁ ମଧ୍ୟ ଦର୍ଶକଙ୍କ ପାଇଁ ଆକର୍ଷଣୀୟ ଡ୍ରୋନ୍ ଏବଂ ଲେଜର ସୋ’ କରାଯିବ । ପୂର୍ବ କାଳରେ ଓଡ଼ିଶାର ନୌବାଣିଜ୍ୟ ବେଶ୍ ସମୃଦ୍ଧଶାଳୀ ଥିଲା । ଓଡ଼ିଆ ଜାତିର ଏହି
ବୀରତ୍ବର ପ୍ରଥାକୁ ଉଜ୍ଜୀବିତ କରିବା ପାଇଁ ଚଳିତ ବର୍ଷ ପୁରୀ ସମୁଦ୍ରରେ ନୌସେନା ଦିବସ ପାଳନ କରାଯାଉଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୌସେନା ଅଧିକାରୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ବହୁ ବିଶିଷ୍ଟ କେନ୍ଦ୍ର ଏବଂ ରାଜ୍ୟର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ହଜାର ୫ ଶହ ଅତିଥି ଉପସ୍ଥିତ ରହିବେ ।
ପୁରୀ ସହରରେ ମୋଟ ୮୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଅନୁସାରେ ୧୦ଟା ୧୫ ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ । ଦିନ ୧୧ ଟା ଯାଏଁ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେବେ । ପରେ ରାଜଭବନ ଯାଇ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ ୩ଟା ୫୫ରେ ବ୍ଲୁ ଫ୍ଲାଗ ବିଚରେ ହେବାକୁ ଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ନୌସେନା ଦିବସ ପାଇଁ ଟ୍ରାଫିକ କଟକଣା ଡିସେମ୍ବର ୪ ତାରିଖ ଦିନ ଲାଗୁ କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏବଂ ନୌସେନା ଦିବସ ଦେଖିବାକୁ ଆସୁଥିବା ଦର୍ଶକମାନେ ତାଳବଣିଆ ଏବଂ ଷ୍ଟ୍ରଲିଙ୍ଗ ଛକ ନିକଟରେ ପାର୍କିଂ ବ୍ୟବସ୍ଥା ହୋଇଛି । ଦର୍ଶକ ମାନେ ପୁରୀ ବେଳାଭୂମିର ଦିଗବାରେଣି ଛକରୁ ଷ୍ଟର୍ଲିଂ ଛକ ଯାଏ ଥିବା ବେଳାଭୂମିରେ ଉପସ୍ଥିତ ରହି ନୌସେନା ଦିବସ ଦେଖିପାରିବେ । ଅନେକ ଜାହାଜ, ହେଲିକପ୍ଟର, ଜେଟ ବିମାନ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିଵାରୁ ଏହାର ଝଲକ ମଧ୍ୟ ବେଳାଭୂମିରେ ଉପସ୍ଥିତ ଲୋକଙ୍କୁ ସ୍ପଷ୍ଟ ଭାବରେ ଦେଖାଦେବ । ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ସହ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯିବା । ତେବେ ଡିସେମ୍ବର ୪ ତାରିଖ ଦିନ ଟ୍ରାଫିକ କଟକଣା ନେଇ ପୁରୀ ପୋଲିସ ପକ୍ଷରୁ ଖୁବଶୀଘ୍ର ଏକ ସୂଚନା ଜାରି କରାଯିବ । ଉକ୍ତ ସୂଚନା ଅନୁଯାୟୀ ଲୋକମାନେ ଯାତାୟତ କରିବାକୁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।