ଭୁବନେଶ୍ବର: ସିଭିଲ ଡିଫେନ୍ସରେ ସାମିଲ ହେବାକୁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ । ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ସୁରକ୍ଷା ଓ ସେବା
ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ ସମାଜ ଆଗେଇ ଆସନ୍ତୁ । ସେବା ଓ ଜାତୀୟତାର ମନୋଭାବକୁ ଆହୁରି ଦୃଢ଼ କରନ୍ତୁ । ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଦେଶର ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା Civil Defence ସଙ୍ଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବା ପାଇଁ ମୁଁ ଜନ ସାଧାରଣଙ୍କୁ ଆହ୍ବାନ କରୁଛି । ବିଶେଷକରି ଯୁବ ସମାଜ ଏ ଦିଗରେ ଆଗେଇ ଆସନ୍ତୁ । ଯୁବ ସମାଜ ହିଁ ଆମ ଆଶା, ଭରଷା ଓ ଶକ୍ତିର ପ୍ରତୀକ ।"
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ । ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ । ଏହି ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷିତ କରାଯିବ । ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ । ଆମ ରାଜ୍ୟର ୧୨ଟି ସ୍ଥାନରେ Civil Defence ସଙ୍ଗଠନ କାର୍ଯ୍ୟ କରୁଛି । ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନମାନଙ୍କରେ ନୂଆ ସଙ୍ଗଠନ ଗଢିବାକୁ ମୁଁ ନିର୍ଦ୍ଦେଶ ଦେଇଛି । ମୋର ଆଶା ଓ ବିଶ୍ବାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ, ବିଶେଷକରି ଯୁବ ବର୍ଗ, ଏଥିପାଇଁ ଆଗେଇ ଆସିବେ । "