ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ ହୋଇଛି । ବଡ଼ ବର୍ଷାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି । କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ସହ ଜିଲ୍ଲାପାଳଙ୍କୁ ସତର୍କ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଓଡ଼ିଶାର ନଦୀ ବିପଦ ସଂକେତ ତଳେ ଥିବାବେଳେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ସହ ରାସ୍ତାରେ ପାଣି ଜମିଲେ ଅଟକିଥିବା ଯାତ୍ରୀ ପାଇଁ ଭୋଜନର ବ୍ୟବସ୍ଥା ହେବ ବୋଲି କହିଛନ୍ତି, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି । ସକାଳ ୮.୩୦ ମିନିଟ ସମୟରେ ଅକ୍ଷାଂଶ ୧୭.୯° ଉତ୍ତର ଏବଂ ଦ୍ରାଘିମା ୮୬.୦° ପୂର୍ବ ନିକଟରେ କେନ୍ଦ୍ରୀଭୂତ ହୋଇଛି । ଏହା ଗୋପାଳପୁରର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦ କିମି, କଳିଙ୍ଗପଟ୍ଟନମର ପୂର୍ବ-ଦକ୍ଷିଣପୂର୍ବରେ ୨୦୦ କିମି, ପୁରୀର ଦକ୍ଷିଣରେ ୨୧୦ କିମି ଏବଂ ବିଶାଖାପାଟଣାର ପୂର୍ବରେ ୨୯୦ କିମି ଦୂରରେ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କର

ଆଗାମୀ ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରେ ପରିଣତ ହେବାର ବହୁ ସମ୍ଭାବନା ରହିଛି । କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଏହା ଏକ ଗଭୀର ଅବପାତ ରୂପେ ୨୩ ତାରିଖ ରାତିରୁ ୨୪ ସେପ୍ଟେମ୍ବର ସକାଳ ମଧ୍ୟରେ ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୨ ତାରିଖରେ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ୨୩ ଏବଂ ୨୪ରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଏହା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବିଚ୍ଛିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୨୫ ରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୨୬ ରେ ରାଜ୍ୟର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ଓ ୨୪ ତାରିଖ ପାଇଁ କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଯେଉଁଥିରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୨୪ ଓ ୨୫ ତାରିଖ ପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ମୁଖ୍ୟ ଶାସନ ସଚିବ ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନର, ଅଗ୍ନିଶମ ସେବା ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜଳସମ୍ପଦ ବିଭାଗ, ପୋଲିସ ଏବଂ ଦକ୍ଷିଣ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସଂବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା, ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା, ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀକୁ ପୂର୍ବରୁ ମୁତୟନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରିର ଭୂସ୍କଳନ ପ୍ରବଣ ଅଞ୍ଚଳଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ଅଗ୍ନିଶମ ସେବା ୟୁନିଟକୁ ମଧ୍ୟ ସଜାଗ ରଖାଯାଇଛି ।

୨୨ ତାରିଖ ସକାଳ ୮:୩୦ ସୁଦ୍ଧା ଶେଷ ହୋଇଥିବା ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୧୩.୫ ମିମି ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ସର୍ବାଧିକ ୭୮ ମିମି ବର୍ଷା ରେକର୍ଡ ହୋଇଛି । ରାଜ୍ୟ ଓ ଜିଲ୍ଲା ସ୍ତରରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସମସ୍ତ ସମ୍ପୃକ୍ତ ବିଭାଗ ଏବଂ କ୍ଷେତ୍ରୀୟ ଅଧିକାରୀଙ୍କୁ ଉଚ୍ଚ ସଜାଗତା ଅବଲମ୍ବନ କରିବାକୁ ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ଜନତାଙ୍କୁ ସତର୍କ ରହିବା, ଜଳମଗ୍ନ, ତଳିଆ ଏବଂ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳକୁ ନଯିବା, ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ମାନିବା ଏବଂ ରାଜ୍ୟ ସରକାର ଓ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଉଥିବା ସରକାରୀ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି ।

0 Comments