ଶ୍ରୀନଗର: ପାକିସ୍ତାନ ତାର ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ଶନିବାର ରାତିରେ ପାକିସ୍ତାନୀ ରେଞ୍ଜର୍ସମାନେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ଉପରେ ଗୁଳି ଚଳାଇଛନ୍ତି। ପାକିସ୍ତାନୀ ସେନାର ଦୁଃସାହସର ଉଚିତ ଜବାବ ମଧ୍ୟ ଭାରତୀୟ ସେନା ଦେଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅନେକ ସ୍ଥାନରେ ଗୁଳିବର୍ଷା ହେଉଛି। କେବଳ ଜାମ୍ମୁ କାଶ୍ମୀର ନୁହେଁ ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଆଦି ସୀମାବର୍ତ୍ତୀ ରାଜ୍ୟର ପ୍ରମୁଖ ସହରରେ ବ୍ଲାକ୍ ଆଉଟ୍ କରାଯାଇଛି।

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ନିଶ୍ଚିତ କରିଛନ୍ତି। ସେ Xରେ ଲେଖିଥିଲେ, ଯୁଦ୍ଧବିରତିର କ'ଣ ହେଲା? ଶ୍ରୀନଗରରେ ବିସ୍ଫୋରଣର ଶବ୍ଦ ଶୁଣାଗଲା!

ଗୁଜରାଟ କଚ୍ଛ ଜିଲ୍ଲାରେ ଏବେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯାଇଛି। ସହର ଉପରେ ଘନ ଘନ ଡ୍ରୋନ୍ ଆକ୍ରମଣ ହେଉଥିବା କଥା Xରେ ଲେଖି ଜଣାଇଛନ୍ତି, ଗୁଜରାଟ ସରକାରଙ୍କ ମନ୍ତ୍ରୀ ହର୍ଷ ସାଂଘଭି। ଲୋକମାନେ ଦୟାକରି ସୁରକ୍ଷିତ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ ବୋ

ଲି ସେ ଅପିଲ କରିଛନ୍ତି।

ଆଜିର ଏହି ଡ୍ରୋନ୍ ଆକ୍ରମଣ ଏହା ସୂଚାଇ ଦେଉଛି ଯେ, ପାକିସ୍ତାନ ସେନା ସେଠାକାର ସରକାରକୁ ତିଳେ ମାତ୍ର ଖାତିର କରୁନାହିଁ। ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ପୋଷ୍ଟ କରି ଜଣାଇଥିଲେ। ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ। ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି ହୋଇଥିବା କହିଥିଲେ ଟ୍ରମ୍ପ। ଏହାପରେ ଭାରତୀୟ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରି ଏହାକୁ ନିଶ୍ଚିତ କରିଥିଲେ।

ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଥିଲେ ଯେ, "ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ଆଜି ଅପରାହ୍ନ ୩:୩୫ ସମୟରେ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରିଥିଲେ। ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ଉଭୟ ପକ୍ଷ ଭାରତୀୟ ସମୟ 5ଟାରୁ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ। ଆଜି, ଏହି ବୁଝାମଣାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ସାମରିକ ଅଭିଯାନ ମହାନିର୍ଦ୍ଦେଶକ ମେ 12 ଦିନ 12ଟାରେ ପୁଣି ଥରେ କଥାବାର୍ତ୍ତା କରିବେ।"ଏସବୁ ସତ୍ତ୍ବେ ପାକିସ୍ତାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ ଜାରି ରହିଛି।

0 Comments