କେନ୍ଦୁଝର ସିଦ୍ଧ ଜଗନ୍ନାଥଙ୍କ ବ୍ୟଞ୍ଜନ ଦ୍ଵାଦଶୀ । ଶହେରୁ ଉର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ । କେନ୍ଦୁଝର ପୁରୁଣା ସହର ସ୍ଥିତ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ୨୦୧୫ ମସିହାରେ ନବକଳେବର ପର ଠାରୁ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଉଅଛି ।
ଜିଲ୍ଲାର ସର୍ବ ପୁରାତନ ଏହି ମନ୍ଦିରରେ ଏକ ଶହେରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ । ବିଭିନ୍ନ କିସମର ଖେଚୁଡ଼ି, ଘାଣ୍ଟ, ଶାଗ, ଦହି ଭାତ, ଡାଲି, ତରକାରୀ, ବଡ଼ି ଆଦି ଶୁଦ୍ଧ ଘିଅରେ ପ୍ରସ୍ତୁତ କରାଯାଇଥାଏ ।
ଏହାସହ ବିଭିନ୍ନ ପ୍ରକାରର ମିଠା ଯେପରିକି କପୁରକେଳି, ଝିଲି, ଆରିସା, କାକରା ପିଠା ତିଆରି କରାଯାଇଥାଏ । କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ବିଭିନ୍ନ ପ୍ରକାରର ବଡ଼ି ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।
ଏହି ଦ୍ଵାଦଶୀ ଦିନ ସିଦ୍ଧ ଜଗନ୍ନାଥଙ୍କୁ ବିଭିନ୍ନ ପ୍ରକାରର ଜଙ୍ଗଲ ଜାତ ଫଳମୂଳ ଯଥା କ୍ଷୀର କୋଳି, ବର କୋଳି, ଭୁରୁ
଼ୁ କୋଳି ଆଦି ମଧ୍ୟ ଅର୍ପଣ କରାଯାଇଥାଏ । ଶହେରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରିବା ପରେ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।ଏହି ସିଦ୍ଧ ଜଗନ୍ନାଥଙ୍କ ପ୍ରସାଦ ସେବନ କରିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼ ଦେଖାଯାଇଥିଲା ।
କିମ୍ବଦନ୍ତୀ ଅନୁସାରେ ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି । ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ ।
ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା ନିଜେ ରୋଷେଇ ଘରକୁ ଯାଇ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଥିଲେ । ସେହିଭଳି ଆଜିର ଏହି ଦିନରେ ନାନାଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।