ପୁରୀ: ପୁଣି ଶ୍ରୀମନ୍ଦିରର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ । ଶ୍ରୀମନ୍ଦିରର ଧ୍ବଜା ପରିବର୍ତ୍ତନର ସମ୍ପୂର୍ଣ୍ଣ ଦୃଶ୍ୟ ଡ୍ରୋନ୍ କ୍ୟାମେରାରେ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଅପଲୋଡ଼ କରାଯାଇଛି ।‌ ସୁରଜିତ ବିଶ୍ବାସ ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଧ୍ବଜା ପରିବର୍ତ୍ତନର ଦୃଶ୍ୟର ଭିଡିଓ ଅପଲୋଡ଼ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସେବାୟତ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ସମ୍ପୂର୍ଣ୍ଣ ନିଷିଦ୍ଧ ଥିବାବେଳେ ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିର ଧ୍ବଜା ପରିବର୍ତ୍ତନର ଦୃଶ୍ୟ ସୁଟ୍ କରାଯାଇଥିବା ବେଳେ ପୋଲିସ

ଏହାର ଟେର୍ ନପାଇବା ସମସ୍ତଙ୍କୁ ଚକିତ କରିଛି ।

ଡ୍ରୋନ୍ ମାଧ୍ୟମରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରତି ଡ୍ରୋନ୍ ମଧ୍ୟ ବିପଦ ରହିଛି । ଏଣୁ ଶ୍ରୀମନ୍ଦିର ନିକଟରେ କିଭଳି ଡ୍ରୋନ୍ ନଉଡି ପାରିବ ,ସେ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି । ସେହିପରି ଶ୍ରୀମନ୍ଦିର ଉପରେ କେଉଁ ବ୍ୟକ୍ତି ଡ୍ରୋନ୍ ଉଡାଇ ଶ୍ରୀମନ୍ଦିର ଧ୍ବଜା ପରିବର୍ତ୍ତନର ସମ୍ପୂର୍ଣ୍ଣ ଭିଡିଓ ସୁଟ୍ କରିଛି ।ଏହା ପଛରେ କେଉଁ ସେବାୟତଙ୍କ ହାତ ରହିଛି, ତା'ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉଚିତ୍ ଆକ୍ସନ ନେବା ପାଇଁ ସେବାୟତ ଦାବି କରିଛନ୍ତି ।

ଶ୍ରୀମନ୍ଦିର ଉପରକୁ ଚଢୁଥିବା ଚୂନରା ସେବକ ଜଣକ ଡ୍ରୋନ୍ କ୍ୟାମେରାକୁ ଦେଖି ହାତ ଯୋଡି ପ୍ରଣାମ କରିବା ସହ ନୀଳଚକ୍ର ଉପରେ ଚଢି ଧ୍ବଜା ପରିବର୍ତ୍ତନ କରିବା ବେଳେ ଡ୍ରୋନ୍ କ୍ୟାମେରାକୁ ଦେଖି ଧ୍ବଜା ପରିବର୍ତ୍ତନ କରୁଛନ୍ତି । ଯାହାଫଳରେ ସମସ୍ତଙ୍କର ସନ୍ଦେହ ହୋଇଛି ଧ୍ବଜା ପରିବର୍ତ୍ତନ କରୁଥିବା ଚୂନରା ସେବାୟତ ହିଁ ଏହି ଡ୍ରୋନ୍ ଭିଡିଓ ଉତ୍ତୋଳନ ପଛରେ ତାଙ୍କର କିଛି ସହଯୋଗ ରହିଛି । ଏବେ ଏହି ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ପୁରୀ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ତେବେ କେଉଁ ସୋସିଆଲ ମିଡିଆ ସାଇଟରେ ଏହା ଅପଲୋଡ଼ ହୋଇଛି ଏବଂ କେବେ ଏହି ଭିଡିଓ ଉତ୍ତୋଳନ ହୋଇଛି,ଏଥିରେ କାହାର ସମ୍ପୃକ୍ତି ରହିଛି ?ସେ ନେଇ ତଦନ୍ତ ପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କହିଛନ୍ତି । ସେପଟେ ଶ୍ରୀମନ୍ଦିର ଉପରେ ଏବଂ ନିକଟରେ ଉଡୁଥିବା ଡ୍ରୋନ୍ ଗୁଡ଼ିକ ଜବତ କରିବା ପାଇଁ ପୋଲିସ ପକ୍ଷରୁ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର କରାଯିବ ବୋଲି ଆଇନମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ । ତେବେ ଯଥାଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ସେବାୟତ ଓ ଭକ୍ତ ଦାବି କରିଛନ୍ତି ।‌

ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି,"ଏହି ଘଟଣାକୁ ନେଇ ସିଂହ ଦ୍ଵାର ଥାନାରେ ଏକ ମାମଲା ରୁଜୁ ହୋଇଛି । କିଏ ଡ୍ରୋନ ଉଡାଇଛି,କାହା ସୋସିଆଲ ମିଡ଼ିଆରେ ଅପଲୋଡ଼ ହୋଇଛି ?ଏଥିରେ ଚୂନରା ସେବାୟତଙ୍କ ସହଯୋଗ ରହିଛି କି ନହିଁ ? ତାହାର ତଦନ୍ତ ହେବ । ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

0 Comments