ଭୁବନେଶ୍ୱର,- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାର ଗତ ୧ ବର୍ଷ ମଧ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାଗୁଡିକୁ ଯେଉଁ ଭଳି ସଫଳତାର ସହ ଆଗକୁ ନେଉଛନ୍ତି, ସେ ବିଷୟରେ ଓଡିଶାବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ଓ ରାଜ୍ୟରେ ବିଜେପି ସରକାରଙ୍କ ୧ବର୍ଷ ପୂର୍ତି ଉପଲକ୍ଷେ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ଆଧାର କରି ବିଜେପି ଜନସାଧାରଣଙ୍କ ପାଖକୁ ଯିବ। ଆଜିର “ସଶକ୍ତ ଭାରତ, ସୁରକ୍ଷିତ ଭାରତ” ସମ୍ପର୍କିତ ବାର୍ତା କାର୍ଯ୍ୟକର୍ତାମାନେ ଲୋକଙ୍କ ପାଖରେ ପହଂଚାଇବେ। ବିଶେଷ କରି ‘ଆୟୁଷ୍ମାନ ବୟୋବନ୍ଦନ ଯୋଜନା’ରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ବ୍ୟକ୍ତି ଯେପରି ସାମିଲ ହେବେ ସେନେଇ ବ୍ୟାପକ କାର୍ଯ୍ୟକ୍ରମ କରାଯିବ। ଏଥି ସହ ଗତ ୧ ବର୍ଷରେ ରାଜ୍ୟରେ ବିଜେପି ସରକାର ସମସ୍ତ ପ୍ରତିଶୃତିକୁ ପ୍ରତିବଦ୍ଧତା ସହ ପାଳନ କରିଆସୁଛନ୍ତି । ଡବଲ ଇଞ୍ଜିନ ସରକାରଙ୍କ ସଫଳତାର ବାର୍ତା କାର୍ଯ୍ୟକର୍ତାମାନେ ଲୋକଙ୍କ ପାଖରେ ପହଂଚାଇବେ। ଏନେଇ ଜୁନ୍ ୯ରୁ ରାଜ୍ୟବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ସରକାର ବର୍ଷ ପୂର୍ତି କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚର
ଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ବର୍ଷ ପୁର୍ତି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଜିର ଏହି କର୍ମଶାଳାରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି, ଜିଲ୍ଲାସ୍ତରୀୟ ଟିମର ସଦସ୍ୟମାନେ ଯୋଗ ଦେଇଥିଲେ।
କର୍ମଶାଳା ପ୍ରସଙ୍ଗରେ ସୁଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୭୮ ବର୍ଷ ଧରି ଯୋଜନାବଦ୍ଧ ଭାବେ ଓଡ଼ିଶାକୁ ପଛେଇ ରଖିବାରେ କଂଗ୍ରେସ ଓ ବିଜେଡି ପ୍ରମୁଖ ଭୂମିକା ଗହଣ କରିଥିଲେ। ଗତ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ରାଜ୍ୟବାସୀଙ୍କୁ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥିଲା। ସେହିପରି କେନ୍ଦ୍ରରେ ଗତ ୫୦ ବର୍ଷ ମଧ୍ୟରେ ଉପା ସରକାରର କୁଶାସନ ଯୋଗୁ ଦେଶର ପ୍ରଗତି ବାଧାପ୍ରାପ୍ତ ହୋଇଥିଲା। ଏସବୁ ବିଷୟରେ ଲୋକଙ୍କୁ ଅବଗତ କରାଯିବ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହର ଏବଂ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରୀୟ ନେତୃତ୍ୱମାନେ ଗସ୍ତ କରି ସାଧାରଣ ଜନତାଙ୍କୁ ଅବଗତ କରାଇବେ । ଏହି ଅବସରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୁଦ୍ଧିଜୀବି ସମ୍ମିଳନୀ, ସାମ୍ବାଦିକ ସମ୍ମିଳନୀ, ଆଲୋଚନାଚକ୍ର ଆସନ୍ତା ୯ ତାରିଖରୁ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏଥିରେ ଭାଗ ନେବେ। ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।