ଇମ୍ଫାଲ: କିଛି ମାସର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ମଣିପୁର । ରାଜ୍ୟରେ ହିଂସା ଦେଖିବାକୁ ମିଳୁଥିବା ବେଳେ ଏହାକୁ ରୋକିବାରେ ବିରେନ ସରକାର ବିଫଳ ଦର୍ଶାଇ ସମର୍ଥନ ପ୍ରତ୍ୟାହାର କରିଛି ନ୍ୟାସନାଲ ପିପୁଲ୍ସ ପାର୍
ି (NPP) । ମଣିପୁର ହିଂସାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ଏନପିପି । ତେବେ ଏନପିପି ସମର୍ଥନ ପ୍ରତ୍ୟାହାର ପରେ ବି ସୁରକ୍ଷିତ ରହିଛି ବିଜେପି ସରକାର । କାରଣ ଏନପିପି-ବିଜେପି ମଧ୍ୟରେ ମେଣ୍ଟ ନଥିଲା । ନିର୍ବାଚନ ପରେ ବିଜେପି ସରକାରକୁ ସମର୍ଥନ ଜଣାଇଥିଲା ଏନପିପି ।
ଏନପିପି କହିଛି, ମଣିପୁର ହିଂସା ରୋକିବାରେ ଓ ସ୍ଥିତି ନିୟନ୍ତ୍ରଣ ଆଣିବାରେ ବିରେନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ବିଜେପି ସରକାରକୁ ସମର୍ଥନ ଫେରାଇ ନେଉଛୁ । ମଣିପୁରରେ 60ଟି ବିଧାନସଭା ଆସନ ରହିଥିବା ବେଳେ ଏନପିପିର 7 ଜଣ ସଦସ୍ୟ ଅଛନ୍ତି ।
ବିଜେପି ପାଖରେ ବର୍ତ୍ତମାନ 37 ସିଟ ରହିଛି । ଯାହାକି ବହୁମତ ଠାରୁ ଢେର ଆଗରେ । ଏଥିରେ ଜନତା ଦଳର 5 ଜଣ ବିଧାୟକ ବି ସାମିଲ ଅଛନ୍ତି । 2022ରେ ଏହି ବିଧାୟକ ସାମିଲ ହୋଇଥିଲେ । ଏହା ବାଦ୍ ନାଗା ପିପୁଲ୍ସ ଫ୍ରଣ୍ଟର 5 ବିଧାୟକ, ଜେଡିୟୁର 1 ଓ ସ୍ବାଧୀନ ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି ।
ମଣିପୁରରେ ନିଖୋଜଙ୍କ ମୃତଦେହ ମିଳିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ଏହାକୁ ନେଇ ଉତ୍ତେଜନା ଦେଖାଯିବା ସହ ଉତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏଥିସହ 3 ମନ୍ତ୍ରୀ ଓ 6 ବିଧାୟକଙ୍କ ବାସଭବନରେ ଆକ୍ରମଣ ସହ ଜଳାପୋଡା ହୋଇଛି । ପୋଲିସ ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଥିଲା । ସେପଟେ ଇମ୍ପାଲ-ପୂର୍ବ ଓ ଇମ୍ପାଲ-ପଶ୍ଚିମ ସହ 3 ଜିଲ୍ଲାରେ କର୍ଫୁ ଲାଗିଛି । ବ୍ୟାପକ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତିକୁ ଦେଖି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରରେ ଚାଲିଥିବା ରାଲିରୁ ଅଧାରୁ ବନ୍ଦ କରି ଦିଲ୍ଲୀ ଫେରିଛନ୍ତି । ଉପୁଜିଥିବା ହିଂସାକୁ ନେଇ ସମୀକ୍ଷା କରିଛନ୍ତି ।