ମୁମ୍ବାଇ/ରାଞ୍ଚି: ଆଜି ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ଏକକାଳୀନ ସମସ୍ତ 288 ଆସନରେ ଭୋଟିଂ ହୋଇଥିବା ବେଳେ ଝାଡଖଣ୍ଡରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅବଶିଷ୍ଟ 38 ଆସନରେ ମତଦାନ ହୋଇଛି । ମକପୁଲିଂ ଶେଷ ହେବା ପରେ ସକାଳ 7 ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପରେ ସନ୍ଧ୍ୟା 6ଟା ସୁଦ୍ଧା ମତଦାନ ଗ୍ରହଣ ଶେଷ ହୋଇଛି । ଆସନ୍ତା 23ରେ ଆସିବ ଫଳାଫଳ ।
ଉଭୟ ରାଜ୍ୟରେ ରାଜନୈତିକ ସମୀକରଣ ଓ ପ୍ରତିଦ୍ବନ୍ଦ୍ବିତା ରୋଚକ ମୋଡରେ ଥିବା ବେଳେ ମତଦାତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଉଭୟ ରାଜ୍ୟରେ ଭୋଟିଂ ଆରମ୍ଭରୁ ମତଦାନ କେନ୍ଦ୍ରଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଛି ।
ସଂଧ୍ୟା 6ଟାରେ ଭୋଟିଂ ସରିଥିବା ବେଳେ ପରେ କଡା ସୁରକ୍ଷା ମଧ୍ୟରେ ‘ଇଭିଏମ’ ଓ ‘ଭିଭିପ୍ୟାଟ’କୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ।
ବିଜେପି ନେତୃତ୍ବାଧୀନ ମେଣ୍ଟ ଶାସିତ ମହାରାଷ୍ଟ୍ରର ନିର୍ବାଚନୀ ରାଜନୀତି ଓ ପ୍ରତିଦ୍ବନ୍ଦ୍ବିତା ରୋଚକ ସ୍ଥିତିରେ ରହିଛି । ବିଜେପି ନେତୃତ୍ବାଧୀନ ଶାସକ ମେଣ୍ଟ (ମହାୟୁତି ମେଣ୍ଟ) ସହ କଂଗ୍ରେସ- ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ ‘ଶରଦ ପାଓ୍ବାର-ଏନସିପି’ ନେଇ ଗଠିତ ତ୍ରିକୋଣୀୟ ମେଣ୍ଟ ମହାବିକାଶ ଅଗାଡି (MVA) ମଧ୍ୟରେ କଡା ମୁକାବିଲା ହେଉଛି । 288 ଆସନ ପାଇଁ ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ଭାବେ ଗ୍ରାଉଣ୍ଡରେ ମୋଟ 4,136 ପ୍ରାର୍ଥୀ ଥିବା ବେଳେ ପ୍ରାୟ 9.7 କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସମଗ୍ର ମହାରାଷ୍ଟ୍ରରେ ଏଥର 1,00,186 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଯାହା ଗତ ନିର୍ବାଚନଠାରୁ ପ୍ରାୟ 4 ହଜାର ଅଧିକ ।
ଭାରତୀୟ ଜନତା ପାର୍ଟି ସର୍ବାଧିକ 149 ପ୍ରାର୍ଥୀ ଦେଇଥିବା ବେଳେ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା 81 ଓ ଅଜିତ ପାଓ୍ବାର ନେତୃତ୍ବାଧୀନ ‘ଏନସିପି’ 59 ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ମିଳିତ ବିରୋଧୀ କ୍ୟାମ୍ପରୁ କଂଗ୍ରେସ ସର୍ବାଧିକ 101 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା (ଉଦ୍ଧବ ଗୋଷ୍ଠୀ) 95, ଶରଦ ‘ପାଓ୍ବାର-ଏନସିପି’ 86 ଆସନରେ ପ୍ରାର୍ଥୀ ଦେଇଛନ୍ତି । ଏମାନଙ୍କ ଛଡା ମୟାବତୀଙ୍କ ‘ବହୁଜନ ସମାଜବାଦୀ ପାର୍ଟି’ ବିଏସପି ଓ ଅସଦୁଦ୍ଦିନ ଓଓ୍ବେସୀଙ୍କ ନେତୃତ୍ବାଧୀନ ‘AIMIM’ ମଧ୍ୟ ଯଥାକ୍ରମେ 237 ଓ 17 ଆସନରେ ପ୍ରାର୍ଥୀ ଲଢାଇ ନିର୍ବାଚନୀ ମୈଦାନରେ ବଳ କଷୁଛନ୍ତି ।
81 ଆସନ ବିଶିଷ୍ଟ ଝାଡଖଣ୍ଡରେ ଚଳିତମାସ (ନଭେମ୍ବର) 13 ତାରିଖରେ ପ୍ରଥମ ପର୍ଯ୍ୟାୟ 43 ଆସନରେ ମତଦାନ ଶେଷ ହୋଇଥିବା ବେଳେ ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅବଶିଷ୍ଟ 38 ଆସନରେ ଭୋଟ ଗ୍ରହଣ ହେଉଛି । ଆଜି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ‘ଜେଏମଏମ’ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ ଓ ବିରୋଧୀ ଦଳ ନେତା ତଥା ବିଜେପି ପ୍ରାର୍ଥୀ ଅମର କୁମାର ବାଉରୀ ପ୍ରମୁଖ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି ।