ଆମେରିକାରେ ପୁଣି ଟ୍ରମ୍ପ ସରକାର । କମଲା ହାରିସଙ୍କୁ ହରାଇ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଆମେରିକା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଭବ ଉଷା ଚିଲୁକୁରି । କାରଣ ସେ ହେବାକୁ ଯାଉଛନ୍ତି ଆମେରିକାର ‘ଦ୍ବିତୀୟ ଲେଡି’ ।
ଆମେରିକାର ଉପରାଷ୍ଟ୍ରପତି ହେବେ ଜେଡି ଭାନ୍ସ । ଜେଡି ଭାନ୍ସଙ୍କ ପତ୍ନୀ ହେଉଛନ୍ତି ଭାରତୀୟ ବଂଶୋଭବ ଉଷା ଚିଲୁକୁରି । ଉଷାଙ୍କ ପରିବାର ଲୋକେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ପାମାରୁ ଗାଁର ମୂଳ ବାସିନ୍ଦା । କାଲିଫର୍ଣ୍ଣିଆରେ ଜନ୍ମ ହୋଇଥିବା ଉଷା ସେଠାରେ ହିଁ ଶିକ୍ଷା ସମାପନ କରିଥିଲେ । 1980 ମସିହାରେ ତାଙ୍କ ବାପା ରାଧାକ୍ରିଷ୍ଣା ଓ ମାଆ ଲକ୍ଷ୍ମୀ ଆମେରିକାକୁ ଯାଇ ସେଠାରେ ବସବା
କରିଥିଲେ । ଉଷା ୟେଲ ବିଶ୍ବ ବିଦ୍ୟାଳୟରୁ ଇତିହାସରେ ବିଏ ଓ କ୍ୟାମ୍ବ୍ରିଜରୁ ଆଧୁନିକ ଇତିହାସରେ ଏମଫିଲ କରିଛନ୍ତି । ଏହାସହ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ଉଷା । ଆମେରିକାର ‘ସେକେଣ୍ଡ ଲେଡି’ ହେବାକୁ ଯାଉଥିବା ଭାରତୀୟ ବଂଶୋଭବ ଉଷା ପେଷାରେ ଜଣେ ଆଇନଜୀବୀ ।
ପିଲାଟି ବେଳୁ ଉଷାଙ୍କ ବହି ପଢା ଆଗ୍ରହ ଥିଲା । ପୁସ୍ତକ ପଢିବା ନେତୃତ୍ବ ନେବା ଗୁଣ ତାଙ୍କୁ ସମସ୍ତଙ୍କୁ ଅଲଗା କରୁଥିଲା । ଯୁକ୍ତ ଦୁଇ ପଢା ପରେ ୟାଲେ ଲ’ ସ୍କୁଲରେ ଯାଆନ୍ତି । ସେଠାରେ ଜେଡି ଭାନ୍ସଙ୍କ ସହ ତାଙ୍କର ସାକ୍ଷାତ ହୁଏ । ଉଭୟେ ‘ସୋସିଆଲ ଡିସଲାଇନ ଇନ୍ ହ୍ବାଇଟ’ ଆମେରିକା ଉପରେ କାମ କରୁଥିଲେ । ଅନେକ ଥର ଦେଖାସାକ୍ଷାତ ପରେ ପ୍ରଥମେ ବନ୍ଧୁତା ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଉଭୟେ ପ୍ରେମକୁ ସ୍ବୀକୃତି ଜଣାଇ 2014ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ଉଷା ଓ ଭାନ୍ସଙ୍କ 3 ସନ୍ତାନ ମଧ୍ୟ ଅଛନ୍ତି ।