ଭୁବନେଶ୍ବର: ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରବିବାର ବିଭିନ୍ନ କମ୍ପାନୀ ମୁଖ୍ୟମାନଙ୍କ ସହ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ।
<
>
ଗତକାଲି (ଶନିବାର) ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସିଙ୍ଗାପୁରର ଚାଙ୍ଗି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ଭାରତୀୟ ରାଷ୍ଟ୍ରଦୂତ ଶିଳ୍ପକ ଆମ୍ବୁଲେ । ନିବେଶକ ସମ୍ମିଳନୀରେ ସାମିଲ ହେବାକୁ ୪ ଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଓଡ଼ିଶାର ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୧୭ ରୁ ୨୦ ପର୍ଯ୍ୟନ୍ତ ସିଙ୍ଗାପୁରରେ ରହି ନିବେଶକଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ କରିବେ ।
ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ଟେକ୍ସଟାଇଲ୍ସ କ୍ଷେତ୍ରରେ କାମ କରୁଥିବା କମ୍ପାନୀର ଶୀର୍ଷ ନେତୃତ୍ବଙ୍କ ସହିତ ଓଡ଼ିଶାର ପ୍ରତିନିଧି ଦଳ ଆଲୋଚନା କରିବେ । ସିଙ୍ଗାପୁରର ଟୁଆସ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି ବିଶ୍ବସ୍ତରୀୟ କମ୍ପାନୀ ପରିଦର୍ଶନ କରିବେ ଦଳ । ଏହାସହ ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ, ପୂର୍ବରୁ ମୁଖ୍ୟମନ୍ତ୍ରୀ,ଶିଳ୍ପ ମନ୍ତ୍ରୀ ଏବଂ ଟିମ ଦିଲ୍ଲୀ, ଗସ୍ତ କରିଥିଲେ । ପରେ ମୁମ୍ବାଇ ଗସ୍ତ ଆଉ ଏବେ ସିଙ୍ଗାପୁର ଗସ୍ତ କରି ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ମଜବୁତ କରିବା ସହ ବିପୁଳ ନିଯୁକ୍ତି ସୃଷ୍ଟି କରିବା ମୂଳ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କହିରଖୁଛୁ , ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ । ସିଙ୍ଗାପୁରରେ କାର୍ଯ୍ୟ କରୁଥିବା ବଡ଼ ବ୍ରାଣ୍ଡ କମ୍ପାନୀ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀ ଓ ମୁମ୍ବାଇ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ବିଦେଶ ଗସ୍ତ ଭାବେ ସିଙ୍ଗାପୁର ଯାଇଛନ୍ତି ।