କଟକ: କନ୍ଧମାଳର ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଯାଉ ଖାଇ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି । କଟକ ବଡ଼ ମେଡିକାଲରେ ଆଖି ବୁଜିଲେ ଜିତା ମାଝୀ । 3କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା । ଆମ୍ବ ଟାକୁଆ ଜାଉ ଖାଇ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲ ମେସିସିନ ଆଇସିୟୁରେ ଭର୍ତ୍ତି ହୋଇଥିବା ଜିତା ମାଝୀଙ୍କ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଜିତାଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ସବୁ ଚେଷ୍ଟା ସତ୍ତ୍ବେ ଆଜି ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି ।

ଜିତାଙ୍କ ମୃତ୍ୟୁ ପରେ ଆମ୍ବ ଟାକୁଆ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ପୂର୍ବରୁ ଆଉ 2 ଜଣ ରୋଗୀ ପ୍ରାଣ ହରାଇଥିଲେ । ତେବେ କିଛି ଦିନ ପୂର୍ବରୁ କଟକ ଏସସିବିରେ ଗୁରୁତର ରୋଗୀଙ୍କୁ ଭେଟିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏସସିବିରେ ଆଡ଼ମିଟ ହୋଇଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମର ଗୁରୁତର ଟୁନି ମାଝୀ ଓ ଜିତା ମାଝୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କରେ ବୁଝିବା ସହ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ 

ଜିତାଙ୍କ ମୃତ

୍ୟୁ ଘଟଣା ସାମ୍ନାକୁ ଆସିବା ପରେ ବିଜେପିକୁ ଘେରିଛି ବିଜେଡି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ‘କନ୍ଧମାଳର ଆମ୍ବ ଟାକୁଆ ଘଟଣା ନୂଆ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ମହିଳାଙ୍କ ମୃତ୍ୟୁକୁ ନେଇ ବିଜେଡ଼ି ଗଭୀର ଦୁଃଖ ପ୍ରକାଶ କରିଛି । ଦୀର୍ଘ ୧୫ ରୁ ୨୦ ଦିନ ଏହି ଖବର ଚର୍ଚ୍ଚାର ଶିରୋନାମ ପାଲଟିଛି । ନୂଆ ସରକାର ସମୟରେ ଯାହା ଘଟିଛି ତାହାକୁ ଆମେ ନିନ୍ଦା କରୁଛୁ । ପ୍ରଥମେ ଦୁଇଜଣଙ୍କ ଜୀବନ ଯାଇଥିଲା ଆଉ ଆଜି ଜିତା ମାଝି ମୃତ୍ୟୁବରଣ କରିଛନ୍ତି । ନବୀନ ବାବୁଙ୍କ ସମୟରେ ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ଗ୍ରହଣୀୟ ଥିଲା ହେଲେ ନୂଆ ସରକାର ପାଇଁ ଏହା ମୂଲ୍ୟ କିଛି ନାହିଁ । ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟରେ ଉଚିତ ଭାବେ କାର୍ଯ୍ୟକାରୀ ହେଉନାହିଁ । ଏହା ନୂଆ ସରକାର ପାଇଁ ନିନ୍ଦନୀୟ ।"

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ‘ନବୀନ ସରକାର ସମୟରେ ରାୟଗଡା ଜିଲ୍ଲାରେ କାଶୀପୁର ଘଟଣା 2 ଥର ହୋଇଛି । ସେ କଥା ବୋଧେ ସଞ୍ଜୟ ଦାଶବର୍ମା ଭୁଲି ଯାଇଛନ୍ତି । ଏହା ହେଉଛି କେବଳ ତାଙ୍କର ହତାଶର ସ୍ବର । ବିଜୁ ଜନତା ଦଳ ସରକାରରୁ ଗଲାପରେ ତାଙ୍କର ହତାଶର ସ୍ବର ପରିପ୍ରକାଶ ପାଉଛି । ଗୁଡାଏ ମିଛ କଥା କହି ନିଜର ପ୍ରଚାର ପ୍ରସାର କରୁଥିଲେ । ମୋହନ ମାଝୀ ସରକାର ବିକାଶ କରୁଥିବାରୁ ବିଜେଡି ମିଛ ଅଭିଯୋଗ ଆଣୁଛି ।

0 Comments