କଟକ: କନ୍ଧମାଳ, ଦାରିଙ୍ଗବାଡି ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣାକୁ ନେଇ ତେଜୁଛି ରାଜନୀତି । ଏହି ଘଟଣାରେ ଗୁରୁତର ଭାବରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ୨ ଜଣଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ସେମାନଙ୍କୁ ଭେଟିବା ସହ ଅବସ୍ଥା ପଚାରି ବୁଝିଛନ୍ତି । ଏହାସହ ମୃତକଙ୍କୁ କ୍ଷତିପୁରଣ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି ବିଜେଡି । ସେପଟେ ବିଜେଡି ପରେ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଅସୁସ୍ଥମାନଙ୍କୁ ଭେଟିଛନ୍ତି ।
ଆହତମାନଙ୍କୁ ଭେଟି ଚିକିତ୍ସା ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ସେ କହିଛନ୍ତି, "ଏହା ଏକ ସ୍ପର୍ଶକାତାର ଘଟଣା । ୮୦ ଓ ୯୦ ଦଶକରେ ଏଭଳି ଘଟଣା ଦେଖିବାକୁ ମିଳୁଥିଲା । ଦାରିଙ୍ଗବାଡି ଘଟଣା ଓଡ଼ିଶା
ାଇଁ ଲଜ୍ଜା । ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ନାହାନ୍ତି । କାରଣ ଖୋଜିବା ପାଇଁ ସରକାର ଟାସ୍କ ଫୋର୍ସ ମଧ୍ୟ ଗଠନ କଲେନାହିଁ । ପାରମ୍ପରିକ ଖାଦ୍ୟ କହି ସରକାର ଦୋଷ ଖସାଇ ପାରିବେ ନାହିଁ । PDS ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବା ଦରକାର । ମୃତକମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବା ଦରକାର ।"
ଆମ୍ୱ ଟାକୁଆ ଜାଉ ଖାଇ ୨ ମୃତ, ୬ ଗୁରୁତର ଘଟଣା । ଘଟଣାକୁ ରାଜନୈତିକ ପ୍ରସଙ୍ଗ କରିଛି ବିଜେଡି । ଘଟଣା ପୂର୍ବରୁ ମାଣ୍ଡିପଙ୍କା ଗାଁରେ ରାସନ ବଣ୍ଟନ ହୋଇନଥିଲା ବୋଲି ଅଭିଯୋଗ କରିଛି ବିଜେଡି । ସରକାର ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସମସ୍ୟାକୁ ଜଟିଳ କରିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସଞ୍ଜୟ ଦାବି କରିଛି ।
ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି "ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆମ୍ୱ ଟାକୁଆ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଛନ୍ତି । ସେହିପରି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଆମ୍ୱଟାକୁଆ ସେହି ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଛନ୍ତି । ଏହି ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଘରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ଥିଲା ବୋଲି ମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ ।"
ଆମ୍ବ ଟାକୁଆ ଖାଇ କଟକ ଏସିବି ICUରେ ଚିକିତ୍ସିତ, ଟୁନି ମାଝୀ ଓ ଜିତା ମାଝୀଙ୍କ ଅବସ୍ଥା ଏବେବି ଗୁରୁତର ଅଛି । ଉଭୟଙ୍କ ଶରୀରର ବିଭିନ୍ନ ଅଙ୍ଗ କାର୍ଯ୍ୟ କରୁନାହିଁ । ମୁଖ୍ୟତଃ ଲିଭର, କିଡନୀ ଓ ମସ୍ତିଷ୍କ ଠିକ ଭାବେ କାର୍ଯ୍ୟ କରୁନଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଟୁନି ମାଝୀଙ୍କ ପେଟ ଓ ଛାତିରେ ପାଣି ଜମିଛି । ଜିତା ମାଝୀଙ୍କ ଲିଭର ଠିକ ଭାବରେ କାମ କରୁ ନଥିବାରୁ ମସ୍ତିଷ୍କ ପ୍ରଭାବିତ ହୋଇଛି । ଆଖିରେ ରକ୍ତ ଜମାଟ ହୋଇଛି । କେବଳ ଜ୍ୱର କମିଥିବାବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ପରୀକ୍ଷା ନିରୀକ୍ଷା ଏସସିବି ପକ୍ଷରୁ କରାଯାଉଅଛି । ମେଡ଼ିସିନ, ହେପଟୋଲୋଜି, କ୍ରିଟିକାଲ କେୟାର ଡାକ୍ତର ଉଭୟଙ୍କ ଚିକିତ୍ସା କରୁଛନ୍ତି ।