ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛନ୍ତି । ଜଷ୍ଟିସ ଖାନ୍ନା

ଭାରତର 51ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ । ସେ ଏହି ସର୍ବୋଚ୍ଚ ନ୍ୟାୟିକ ପଦବୀରେ ମାତ୍ର ୬ ମାସ ରହିବେ । ଆସନ୍ତାବର୍ଷ ୨୦୨୫ ମେ’ ୧୩ ତାରିଖରେ ସେ ଅବସର ନେବେ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗତମାସରେ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଡୂଡ ତାଙ୍କ ନାମ ସୁପାରିଶ କରିଥିଲେ ।

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଶପଥ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଦାୟୀ ପ୍ରଧାନ ବିଚାରପତି (ସିଜେଇ) ଜଷ୍ଟିସ୍‌ ଡି.ଓ୍ବାଇ ଚନ୍ଦ୍ରଚୂଡ ମଧ୍ୟ ଉପସ୍ଥିତ ଥିଲେ । ଏମାନଙ୍କ ସହ ଏକାଧିକ କେନ୍ଦ୍ରମନ୍ତ୍ରୀ, ଆଇନ ବିଭାଗର ଅଧିକାରୀ, ସର୍ବୋଚ୍ଚ କୋର୍ଟର ତମାମ ବରିଷ୍ଠ ବିଚାରପତି, ଆଇନଜୀବୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

୧୯୬୦ ମସିହା ମେ’ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀ ବାର କାଉନସିଲରେ ପଞ୍ଜୀକୃତ ହୋଇ ଲ’ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷର ଓକିଲାତି ପରେ ତାଙ୍କୁ ୨୦୦୪ ରେ ‘ଏନସିଆର’ର ସ୍ଥାୟୀ ଓକିଲ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ । ୨୦୦୫ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍‌ ଭାବେ ବିଚାରପତି ଜୀବନ ଆରମ୍ଭ କରିଥିଲେ । ୨୦୧୯ ଜାନୁଆରୀ ୧୮ ତାରିଖରେ ସେ ସର୍ବୋଚ୍ଚ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ସର୍ବୋଚ୍ଚ କୋର୍ଟର ଆଇନ ସେବା ସମିତିର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏକାଧିକ ଗମ୍ଭୀର ମାମଲାରେ ସେ ସହ ବିଚାରପତି ଭାବେ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠରେ ଅଂଶ ହୋଇଛନ୍ତି । ଏବେ ସେ ସର୍ବୋଚ୍ଚ କୋର୍ଟର ମୁଖ୍ୟ ଭାବେ ଦାୟିତ୍ବ ନେବେ ।


0 Comments